ଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି । ରାଷ୍ଟ୍ରପତି ଗୃହ ମନ୍ତ୍ରଣାଳୟକୁ ପଠାଇଥିବା ଏକ ଚିଠି ଚର୍ଚ୍ଚା ବଢାଇଛି । କୁହାଯାଉଛି କି, ଯେହେତୁ ଅନେକ ଦିନ ହେଲାଣି କେଜ୍ରିୱାଲ ଜେଲରେ ରହିଛନ୍ତି, ତେଣୁ ସାମ୍ବିଧାନିକ ସଙ୍କଟ ବି ଦେଖାଗଲାଣି । ତେଣୁ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ବିଜେପି ବିଧାୟକ ଚିଠି ଲେଖିଥିଲେ । ଚିଠି ପାଇବା ପରେ ରାଷ୍ଟ୍ରପତି ଏହାକୁ ଗମ୍ଭୀରତାର ସହ ନେଇଛନ୍ତି ।
ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ରାଷ୍ଟ୍ରପତିଙ୍କ ସଚିବାଳୟ ବିଜେପି ବିଧାୟକଙ୍କ ଚିଠିକୁ ଗୃହ ସଚିବଙ୍କୁ ଦେଇଛନ୍ତି । ସେବେଠାରୁ ଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ ହେବାର ଗୁଜବ ବୃଦ୍ଧି ପାଇବାରେ ଲାଗିଛି । ଏହି ଚିଠିରେ କ’ଣ ଲେଖାଯାଇଛି ସେନେଇ ଚର୍ଚ୍ଚା ହେଉଥିବା ବେଳେ ଚିଠି ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ମୁହଁ ଖୋଲିନାହାନ୍ତି । ଅଗଷ୍ଟ ୩୦ରେ ଦିଲ୍ଲୀ ବିଧାନସଭା ବିରୋଧୀ ଦଳର ନେତା ବିଜେନ୍ଦ୍ର ଗୁପ୍ତାଙ୍କ ସମେତ ଅନେକ ବିଜେପି ନେତା ଦିଲ୍ଲୀ ସରକାରଙ୍କୁ ଏକ ଚିଠି ଲେଖିଥିଲେ । ଏହି ଚିଠିରେ ଦିଲ୍ଲୀ ସରକାରଙ୍କ ବ୍ୟବସ୍ଥା ଏବଂ ଆର୍ଥିକ ସଙ୍କଟ ବିଷୟରେ ଉଲ୍ଲେଖ କରାଯାଇଥିଲା ।
ବହୁଚର୍ଚ୍ଚିତ ଦିଲ୍ଲୀ ମଦଦୁର୍ନୀତି ମାମଲାକୁ ନେଇ ପୁରା ଦେଶରେ ଜୋରଦାର ଚର୍ଚ୍ଚା ଚାଲିଛି । କୁହାଯାଉଛି କି ଆପ୍ ସରକାର କୋଟି କୋଟି ଦୁର୍ନୀତି କରିଛି । ଯାହାର ତଦନ୍ତ ଏବେ ବି ଚାଲିଛି । ଆଉ ଏହାରି ଭିତରେ ବିଜେପି ବିଧାୟକଙ୍କ ଚିଠି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଉଛି । କୁହାଯାଉଛି କି, ରାଷ୍ଟ୍ରପତିଙ୍କୁ ଲେଖାଯାଇଥିବା ଚିଠିରେ ବିଜେନ୍ଦ୍ର ଗୁପ୍ତା ଦିଲ୍ଲୀ ସରକାରଙ୍କୁ ବରଖାସ୍ତ କରିବାକୁ ଦାବି କରିଥିଲେ । ମଦ ନୀତି ଠାରୁ ଆରମ୍ଭ କରି ୱାଟର ବୋର୍ଡରେ ଆର୍ଥିକ ସମସ୍ୟା ପର୍ଯ୍ୟନ୍ତ ଅନେକ ପ୍ରସଙ୍ଗ ଉପରେ ଏହି ଚିଠିରେ ଆଲୋଚନା କରାଯାଇଥିଲା । ଗୃହ ମନ୍ତ୍ରଣାଳୟ ଏହା ଉପରେ କ’ଣ ଉତ୍ତର ଦେଉଛନ୍ତି ସେ ନେଇ ରାଜନୈତିକ ମହଲରେ ଉତ୍କଣ୍ଠା ବୃଦ୍ଧି ପାଇଛି । ଯଦି ଗୃହ ମନ୍ତ୍ରଣାଳୟ ରାଷ୍ଟ୍ରପତିଙ୍କ ଶାସନ ଲାଗୁ ହେବା ନେଇ ରାଜି ହୁଅନ୍ତି, ତେବେ ସମ୍ଭବତଃ ଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ ହୋଇପାରେ ବୋଲି କୁହାଯାଉଛି । ହେଲେ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନି ।