ଆଜାଦ ଦିବ୍ୟାଙ୍ଗ ଜାଣି ମଧ୍ୟ ତାଙ୍କ ପ୍ରେମରେ ପଡ଼ିଥିଲେ ନିଲୁ। ୨୦୧୭ରେ ଗଢି ଉଠିଥିବା ପ୍ରେମ ସମ୍ପର୍କ ୨୦୨୧ରେ ବହୁ ବାଧାବିଘ୍ନକୁ ପାର କରି ବିବାହର ନାଁ ପାଇଥିଲା। ବନ୍ଧନରେ ବାନ୍ଧି ହୋଇଥିଲେ ଆଜାଦ ଓ ନିଲୁ। କାକଟପୁର ଆଇଟିଆଇ ଟ୍ରେନିଂ ସେଣ୍ଟରରେ ଦେଖା ତାପରେ ବନ୍ଧୁତା ଏବଂ ପରେ ପ୍ରେମରେ ପରିଣତ ହୋଇଥିଲା ସମ୍ପର୍କ। ଆଜାଦ ପିଲାଦିନରୁ ଦିବ୍ୟାଙ୍ଗ । ପିଲା ଦିନେ ପରାଲିସିସରେ ତାଙ୍କର ବାମ ଗୋଡ଼ କାମ କରିବା ବନ୍ଦ କରିଦେଇଥିଲା । ଅନେକ ଚିକିତ୍ସା କଲା ପରେ ମଧ୍ୟ ସେ ଭଲ ହୋଇ ନ ଥିଲେ। ଏସବୁ ଜାଣିବା ପରେ ମଧ୍ୟ ନିଲୁ ତାଙ୍କୁ ହୃଦୟ ଦେଇ ଭଲ ପାଇ ବସିଲେ।
ଦୀର୍ଘ ୪ ବର୍ଷର ଭଲ ପାଇବା ପରେ ୨୦୨୧ରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ କିନ୍ତୁ ଆରମ୍ଭ ହୋଇଥିଲା ବାଧାବିଘ୍ନ। ଆଜାଦ ଦିବ୍ୟାଙ୍ଗ ଓ ପୂର୍ବରୁ ଵିଵାହ କରିଥିଲେ ଏବଂ ତାଙ୍କର ଗୋଟିଏ ୬ ବର୍ଷର ଝିଅଟିଏ ଅଛି ଜାଣି ନିଲୁଙ୍କ ଘରେ ଏହାକୁ ବିରୋଧ କରିଥିଲେ। କିନ୍ତି ଦୁଇ ଜଣଙ୍କ ଭଲ ପାଇବା ଏବଂ ଦୃଢ ନିଷ୍ପତ୍ତି ପାଇଁ ଘର ଛାଡ଼ି ଦୁହେଁ ପ୍ରେମ ବିବାହ କରିଥିଲେ। ଘର ଛାଡ଼ି ଭୁବନେଶ୍ୱରରେ ଆସି ରହିଲେ । ଆଉ ଏବେ ଝିଅକୁ ନେଇ ଚାଲିଛି ତାଙ୍କର ହସ ଖୁସିର ସଂସାର। ସାରା ଜୀବନ ପାଇଁ ହାତ ଧରି ବାଟ ଚାଲିବାକୁ ଶପଥ ନେଇଛନ୍ତି ଦୁଇଜଣ।
ଆଜିର ସ୍ୱାର୍ଥପର ଦୁନିଆରେ ମଣିଷ ସମ୍ପର୍କର ମାନେ ବୁଝିପାରୁନାହାନ୍ତି। ଏଭଳି ସ୍ଥଳେ ନିଲୁଙ୍କର ଏହି ଭଲ ପାଇବା ସାଜିଛି ଅନ୍ୟ ପାଇଁ ଉଦାହରଣ।