ଟାସ୍କ ଫୋର୍ସରେ ବିଶେଷଜ୍ଞ ସଦସ୍ୟ ଭାବେ ୟୁନିସେଫ୍, ସେଣ୍ଟ୍ରାଲ ସ୍କୋୟାର ଫାଉଣ୍ଡେସନ, ଅକ୍ଷର ଫାଉଣ୍ଡେସନ, ଲଙ୍ଗୁଏକ ଲର୍ଣିଂ ଫାଉଣ୍ଡେସନ, ପ୍ରଥମ ଭଳି ସଂସ୍ଥାରୁ ନିମନ୍ତ୍ରିତ ସଦସ୍ୟ ମାନେ ମଧ୍ୟ ପରାମର୍ଶ ଦେବେ । ତେବେ ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରିବା ଲାଗି ୬ଟି ଥିମେଟିକ ସବ କମିଟିର ମଧ୍ୟ ପୁନଃ ଗଠନ କରିଛନ୍ତି ସରକାର । ସବ କମିଟିରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ନିର୍ଦ୍ଦେଶାଳୟର ମୁଖ୍ୟଙ୍କ ସମେତ ଶିକ୍ଷା କ୍ଷେତ୍ରର ବିଶେଷଜ୍ଞ ଓ ଶିକ୍ଷାବିତ ମାନଙ୍କୁ ସାମିଲ କରାଯାଇଛି । ସବ କମିଟି ସଦସ୍ୟ ମାନେ ଜାତୀୟ ଶିକ୍ଷା ନୀତି ଲାଗୁ ପାଇଁ ଏକ ଡ୍ରାଫ୍ଟ ପଲିସି ପ୍ରସ୍ତୁତ କରିବେ ।
ଜାତୀୟ ଶିକ୍ଷାନୀତିରେ ଶୈକ୍ଷଣିକ ସଂରଚନା ୫+୩+୩+୪ ହିସାବରେ କରାଯାଇଛି । ଏହାକୁ ପିଲାଙ୍କର ୩ରୁ ୮, ୮ରୁ ୧୧, ୧୧ରୁ ୧୪ ଓ ୧୪ରୁ ୧୮ ବର୍ଷ ହିସାବରେ ଚାରିଟି ଭିନ୍ନ ଭିନ୍ନ ବର୍ଗରେ ବିଭାଜିତ କରାଯାଇଛି । ପ୍ରଥମେ ପ୍ରାଇମେରୀରୁ ଦ୍ବିତୀୟ ଶ୍ରେଣୀ, ଦ୍ବିତୀୟ ଭାଗରେ ତୃତୀୟରୁ ପଞ୍ଚମ, ତୃତୀୟରେ ଷଷ୍ଠରୁ ଅଷ୍ଟମ ଏବଂ ଚତୁର୍ଥରେ ନବମରୁ ଦ୍ବାଦଶ ଯାଏଁ ଶ୍ରେଣୀକୁ ସାମିଲ କରାଯାଇଛି । ଫାଉଣ୍ଡସେନ ଷ୍ଟେଜ ଅନୁସାରେ ପ୍ରଥମ ତିନି ବର୍ଷ ପିଲାଙ୍କୁ ଅଙ୍ଗନବାଡ଼ିରେ ପ୍ରିସ୍କୁଲିଂ ଶିକ୍ଷା ନେବାକୁ ହେବ । ଏହାପରେ ପିଲା ପ୍ରଥମ ଓ ଦ୍ଵିତୀୟରେ ପଢ଼ିବେ । ଏଥିରେ ଖେଳ ଆଧାରିତ ବା ଗତିବିଧି ଆଧାରିତ ଶିକ୍ଷା ଓ ଭାଷା କୌଶଳର ବିକାଶ ଉପରେ ଧ୍ୟାନ ଦିଆଯାଇଛି ।
ଏହା ପରେ ପ୍ରିପାରେଟୋରୀ ଷ୍ଟେଜରେ ତୃତୀୟରୁ ପଞ୍ଚମ ଶ୍ରେଣୀ ଯାଏଁ ଶିକ୍ଷାଦାନ କରାଯିବ । ଏଥିରେ ୮ରୁ ୧୧ ବର୍ଷ ଯାଏଁ ପିଲାଙ୍କୁ କଭର କରାଯିବ । ଏଥିରେ ପିଲାଙ୍କୁ ବିଜ୍ଞାନ, ଗଣିତ, କଳା ଆଦିର ଶିକ୍ଷା ଦିଆଯିବ । ଲିଟିଲ୍ ଷ୍ଟେଜରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଯାଏଁ ପିଲାଙ୍କୁ ପଢ଼ାଯିବ । ୧୧ରୁ ୧୪ ବର୍ଷ ମଧ୍ୟରେ ଥିବା ପିଲାଙ୍କୁ ଏହି ପର୍ଯ୍ୟାୟରେ ସାମିଲ କରାଯାଇଥିବା ବେଳେ ପିଲାଙ୍କ ପାଇଁ ଖାସ୍ କୌଶଳ ବିକାଶ କୋର୍ସ ବି ଆରମ୍ଭ କରାଯିବ । ସେକେଣ୍ଡାରୀ ଷ୍ଟେଜରେ ନବମ ଶ୍ରେଣୀରୁ ଦ୍ବାଦଶ ଯାଏଁ ପିଲାଙ୍କୁ ଶିକ୍ଷାଦାନ କରାଯିବ ଯେଉଁଥିରେ ୧୪ରୁ ୧୮ ବର୍ଷ ଯାଏଁ ପିଲା ସାମିଲ ହେବେ । ଏହି ଷ୍ଟେଜରେ ପିଲାଙ୍କୁ ନିଜ ବିଷୟ ଚୟନ କରିବାର ମଧ୍ୟ ସ୍ବାଧୀନତା ମିଳିବ ।
ଶିକ୍ଷାର ଢାଞ୍ଚା ବଦଳାଇ ଭବିଷ୍ୟତ ବଦଳାଇବା ଲକ୍ଷ୍ୟରେ ଜାତୀୟ ଶିକ୍ଷା ନୀତି ପ୍ରଣୟନ ହୋଇଥିଲା । ପ୍ରି-ପ୍ରାଇମେରୀ ଠାରୁ ଦ୍ଵାଦସ ଯାଏଁ ଛାତ୍ରଛାତ୍ରୀଙ୍କୁ ମାତୃଭାଷା, ସ୍ଥାନୀୟ ବା ଆଞ୍ଚଳିକ ଭାଷାରେ ଶିକ୍ଷାଦାନର ଶୁଭାରମ୍ଭ କରାଯାଇଥିଲା । ସେହିପରି ଇଞ୍ଜିନିୟରିଂ, ମେଡିକାଲ, ଦକ୍ଷତା ବିକାଶ ଓ ଆଇନ ପୁସ୍ତକ ଗୁଡ଼ିକ ଭାରତୀୟ ଭାଷାରେ ପ୍ରସ୍ତୁତ ହୋଇଛି ।