କାରଣ ପୂର୍ବ ବିଜେଡ଼ି ସରକାର ସମୟରେ ଦୋଷୀଙ୍କୁ ଧରି ଦଣ୍ଡ ଦେବା ପରିବର୍ତ୍ତେ ଘଣ୍ଟ ଘୋଡ଼ା ଯାଉଥିବାର ଆସିଥିଲା ଅଭିଯୋଗ । ବିଜେଡ଼ିର ମନ୍ତ୍ରୀ, ବିଧାୟକ ଓ ନେତାଙ୍କ ସଂପୃକ୍ତି ଅଭିଯୋଗ ଉପରେ ହୋଇନଥିଲା ତଦନ୍ତ । ହେଲେ ସରକାର ପରିବର୍ତ୍ତନ ପରେ ଆଜି ବିଧାନସଭା ଶୂନ୍ୟକାଳରେ ଏହି ସବୁ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା, ମନ୍ତ୍ରୀ ନବ ଦାସ ହତ୍ୟା, ମମିତା ମେହେର ହତ୍ୟା ଏବଂ ଗୋବିନ୍ଦ ସାହୁଙ୍କର ରହସ୍ୟଜନକ ମୃତ୍ୟୁ ଘଟଣା ଓଡ଼ିଶାବାସୀଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି । କାରଣ ପୂର୍ବ ବିଜେଡ଼ି ସରକାର ସେ ସମୟରେ ପୋଲିସକୁ ପ୍ରଭାବିତ କରିଥିଲା । ଆଉ ଯେଉଁ ଭଳି ଢଙ୍ଗରେ ତଦନ୍ତ ହେଲା, ତାହା ମଧ୍ୟ ସନ୍ଦେହଜନକ । ତଦନ୍ତ ଉପରେ ମଧ୍ୟ ଓଡ଼ିଶାବାସୀଙ୍କର ବିଶ୍ୱାସ ନାହିଁ । ତେଣୁ ଏହି ସବୁ ହତ୍ୟାକାଣ୍ଡର ତଦନ୍ତ ଭାର ସିବିଆଇକୁ ଦିଆଯାଉ ବୋଲି ଦାବି କରିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । ସରକାର ଏହା ଉପରେ ପଦକ୍ଷେପ ନେଇ ସିବିଆଇକୁ ତଦନ୍ତ ପାଇଁ ସୁପାରିଶ କରନ୍ତୁ ବୋଲି ଦାବି କରିଛନ୍ତି ଜୟ ନାରାୟଣ ।
ସେପଟେ ଜୟ ନାରାୟଣଙ୍କ ଦାବି ପରେ କଂଗ୍ରେସ ମଧ୍ୟ ଗୃହ ବାହାରେ ସିବିଆଇ ତଦନ୍ତ ହେଉ ବୋଲି ଦାବି କରିଛି । ଅନ୍ୟପଟେ ତାଙ୍କ ହାତରେ ସରକାର ଅଛି, ସିବିଆଇ ତଦନ୍ତ କରନ୍ତୁ ବୋଲି କହିଛି ବିଜେଡ଼ି । କେମିତି ହୋଇଥିଲା ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ? କିଏ କରିଥିଲା ଷଡ଼ଯନ୍ତ୍ର ? କାହା ନିର୍ଦ୍ଦେଶରେ ସ୍ୱାମୀଜୀଙ୍କ ନିର୍ମମ ହତ୍ୟା କରିଥିଲେ ଆତତାୟୀ ? ପୂର୍ବ ସରକାର ସମୟରେ ହୋଇଥିବା ତଦନ୍ତ ରିପୋର୍ଟ କାହିଁକି ହେଲାନି ସାର୍ବଜନୀନ ? ରିପୋର୍ଟ ପଦାକୁ ଆସିଲେ ବିଜେଡ଼ି ସରକାର ଭାଙ୍ଗି ଯିବାର ଥିଲା କି ଭୟ ? ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ କାହିଁକି ଗୁଳି କରି ହତ୍ୟା କରିଥିଲା ପୋଲିସ ଏଏସଆଇ ଗୋପାଳ ଦାସ ? ନବ ଦାସଙ୍କ ହତ୍ୟା ପଛରେ ଥିଲା କି ବଡ଼ ଷଡ଼ଯନ୍ତ୍ର ? ସେତେବେଳେ ହତ୍ୟାକାଣ୍ଡରେ ବିଜେଡ଼ି ନେତାଙ୍କ ସଂପୃକ୍ତି ନେଇ ଆସିଥିଲା ଅଭିଯୋଗ ।
ସେହିପରି ବହୁ ଚର୍ଚ୍ଚିତ ମହାଲିଙ୍ଗ କଲେଜ ଶିକ୍ଷୟତ୍ରୀ ମମିତା ହତ୍ୟାକାଣ୍ଡର ରହସ୍ୟରୁ ଆଜି ଯାଏଁ ଉଠୁନି ପରଦା । କେଉଁ ପରିସ୍ଥିତିରେ ମମିତା ମେହେରଙ୍କୁ ହତ୍ୟା କରିଥିଲା କଲେଜ ଅଧ୍ୟକ୍ଷ ଗୋବିନ୍ଦ ସାହୁ ? ହତ୍ୟା ପାଇଁ ଗୋବିନ୍ଦକୁ କେହି ନିର୍ଦ୍ଦେଶ ଦେଇଥିଲେ କି ? ମହାଲିଙ୍ଗ କଲେଜରେ ଚାଲିଥିଲା କଣ ? କଣ ଜାଣିଥିଲେ ମମିତା ମେହେର, ଯେଉଁଥିପାଇଁ ମମିତାଙ୍କୁ ଜୀବନରୁ ମାରିବା ପାଇଁ ନିଷ୍ପତି ନେଇଥିଲା ଗୋବିନ୍ଦ ? ହତ୍ୟାକାଣ୍ଡରେ ବିଜେଡ଼ି ନେତା ଦିବ୍ୟ ଶଙ୍କର ମିଶ୍ରଙ୍କ ସଂପୃକ୍ତି ନେଇ ଅଭିଯୋଗ ଆଣିଥିଲେ ମମିତାଙ୍କ ବାପା ମା । କିନ୍ତୁ କେବଳ ଗୋବିନ୍ଦ ସାହୁଙ୍କୁ ଗିରଫ କରି ହାତ ବାନ୍ଧି ବସି ଗଲା ପୋଲିସ । ଆଉ ହଠାତ୍ ଦିନେ କୋର୍ଟକୁ ଯିବା ପୂର୍ବରୁ ଜେଲ ଭିତରୁ ମିଳିଥିଲା ଗୋବିନ୍ଦ ସାହୁର ଝୁଲନ୍ତା ମୃତ ଦେହ । କୁହାଗଲା, ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛି। କିନ୍ତୁ ଗୋବିନ୍ଦର ଏଭଳି ମୃତ୍ୟୁ ପଛରେ ସେତେବେଳେ ଷଡ଼ଯନ୍ତ୍ରର ଗନ୍ଧ ବାରିଥିଲା ବିଜେପି । ଆଉ ଏବେ ବିଜେପି ସରକାରକୁ ଆସିବା ପରେ ପୁଣି ଖୋଲିବ କି ଏହି ସବୁ ହତ୍ୟାର ଫାଇଲ ? ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବେ କି ମୋହନ ସରକାର ?
ଅଧିକ ପଢନ୍ତୁ ଓଡିଶା ଖବର