୨୦୦୬ ମସିହାରେ ଅବସର ନେଲେ । ଦୁଇ ପୁଅ ଓ ଦୁଇ ଝିଅଙ୍କ ସହିତ ତାଙ୍କ ପରିବାର । ଚାକିରିରୁ ମିଳିଥିବା ଟଙ୍କାରେ ଦୁଇ ମହଲା କୋଠା କରିଦେଲେ । ଦୁଇ ଝିଅଙ୍କୁ ବାହା ମଧ୍ୟ ଦେଲେ । ହେଲେ ସ୍ତ୍ରୀଙ୍କ ଦେହାନ୍ତ ପରେ ସମସ୍ତଙ୍କ ପାଇଁ ପର ହୋଇଗଲେ ସୁରେନ୍ଦ୍ର । ଏବେ ପଛ କଥା ମନେ ପକାଇଲୋ ଆଖିରେ ଲୁହ ଭରି ଯାଉଛି । ଅଣ୍ଟାରେ ଟଙ୍କା ନାହିଁ । ସାହାରା ପାଇଁ ପରିବାର ନାହିଁ । ଏବେ ତାଙ୍କର ଏକମାତ୍ର ଭରସା ବୃଦ୍ଧାଶ୍ରମ । ସେହିପରି ଆଉ ଜଣେ ବୃଦ୍ଧ ହେଉଛନ୍ତି ବାଲେଶ୍ବର ଜିଲ୍ଲାର ପଞ୍ଚାନନ ପଣ୍ଡା। ବୟସ ୭୦ ବର୍ଷ। ରିକ୍ସା ଚଳାଇ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ। କିନ୍ତୁ ଦୁର୍ଘଟଣାରେ ଗୋଡ଼ ଅକାମୀ ହୋଇଯିବାରୁ ହାତ ଛାଡ଼ି ଦେଲା ପରିବାର। କେବଳ ଏଇ ଦୁଇ ଜଣଙ୍କର ଏ ଦୁଃଖଭରା କାହାଣୀ ନୁହେଁ । ଚାନ୍ଦମାରୀ ପଡ଼ିଆରେ ଥିବା ଅମୃତଧାରା ବୃଦ୍ଧାଶ୍ରମରେ ୨୦ ଜଣ ଅନ୍ତେବାସୀ ଅଛନ୍ତି । ଆଉ କେତେଜଣଙ୍କର ଏଇଠି ଦେହାନ୍ତ ହୋଇଗଲାଣି । ସମସ୍ତଙ୍କର ପରିସ୍ଥିତି ପ୍ରାୟ ସମାନ।
ବୃଦ୍ଧାଶ୍ରମରେ ସକାଳୁ ଉଠିଲେ ଅନ୍ତେବାସୀମାନେ ଜଳଖିଆ ସାରି ପ୍ରାର୍ଥନା କରିଥାନ୍ତି । ତା’ପରେ ଆରମ୍ଭ ହୋଇଯାଏ ମନୋରଞ୍ଜନ । କିଏ ତାସପାଲିରେ ମଜ୍ଜି ଯାଆନ୍ତି, ତ’ ପୁଣି କିଏ ଲୁଡ଼ୁ ଖେଳରେ । କ୍ୟାରମ୍ ଷ୍ଟ୍ରାଇକର୍ ମାଡ଼ରେ କମ୍ପି ଉଠେ ବୃଦ୍ଧାଶ୍ରମର ପରିବେଶ । ଗୀତ ଶୁଣିବା, ଗୀତରେ ନାଚିବା ଓ ସମସ୍ତଙ୍କୁ ନଚେଇବା ଭଳି ପରିବେଶ ସୃଷ୍ଟି କରିଦିଅନ୍ତି ଯତ୍ନ ଦେବାକୁ ଥିବା ସହଯୋଗୀମାନେ । କିଏ କେଉଁଠୁ ଆସିଛନ୍ତି, କାହାର ପରିବାର କେମିତି ଥିଲେ, ସେକଥାକୁ ସମସ୍ତେ ଭୁଲି ଯାଆନ୍ତି । ଆଉ ପାଖରେ ପାଇଥିବା ଅନ୍ତେବାସୀ ମାନଙ୍କ ଭିତରେ ସମସ୍ତେ ଦେଖନ୍ତି ନିଜ ପରିବାରକୁ । ଏଠି ଦୁଃଖର ଲୁହ ପାଲଟି ଯାଏ ଆନନ୍ଦର ଅଶ୍ରୁ । ଥର ଥର ହାତକୁ ମିଳିଯାଏ ବାହୁବଳୀର ଶକ୍ତି । ସରି ଆସୁଥିବା ଜୀବନ ଭିତରେ ଏମାନେ ଖୋଜନ୍ତି ପୁଣି ଜୀଇଁବାର ଦିନ ସବୁ । ଅନ୍ତେବାସୀଙ୍କ ଖୁସିରେ ଖୁସି ପାଆନ୍ତି ପରିଚାଳକମାନେ । ନିଜର ବ୍ୟସ୍ତ ବହୁଳ ସମୟ ଭିତରୁ ବୃଦ୍ଧାଶ୍ରମରେ ଥିବା ଅନ୍ତେବାସୀଙ୍କ ମଧ୍ୟରେ ଦେଖନ୍ତି ସେମାନେ ନିଜର ବାପା, ମା’ଙ୍କୁ । ଆଉ ସେଇଥିରେ ମିଳିଥାଏ ମନକୁ ଶାନ୍ତି, ହୃଦୟକୁ ଖୁସି।
ଅଧିକ ପଢନ୍ତୁ ଓଡ଼ିଶା ଖବର