ଅର୍ଗସ ବ୍ୟୁରୋ: ଓଡ଼ିଶାରେ ଶାସନ କରୁଛି କିଏ ? ନବୀନ ବାବୁ ସିଏମ ଅଛନ୍ତି ହେଲେ ସୁପର ସିଏମ ଅନ୍ୟ ଜଣେ । ରାଜ୍ୟର ସରକାର ଏବେ ପୂରା ଆଉଟ ସୋର୍ସିଂ ହୋଇଯାଇଛି । ଫୁଲବାଣୀ, ବଲାଙ୍ଗିର ପରେ କିଛି ଏମିତି ଢଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ମୋଦି ।
ବ୍ରହ୍ମପୁର, ନବରଙ୍ଗପୁର, ଫୁଲବାଣୀ, ବଲାଙ୍ଗିର , ବରଗଡ଼ । ମୋଦିଙ୍କ ନିଶାନାରେ ଥିଲେ ନବୀନ । ପୁରା ଶାଣିତ ଢଙ୍ଗରେ ନବୀନଙ୍କ ଉପରେ ମନଖୋଲା ବର୍ଷିଛନ୍ତି ମୋଦି । ସଭା ମଂଚରେ ପହଞ୍ଚୁ ପହଞ୍ଚୁ ରାଜ୍ୟ ସରକାରଙ୍କ ଉପରେ ହମଲା କରିବା ସହିତ କେନ୍ଦ୍ର କେତେ ଟଙ୍କା ଦେଇଛି ତାହାର ବି ଗୁମର ଖୋଲିଥିଲେ । ହେଲେ ପୂର୍ବ ଅପେକ୍ଷା ଆଜିର ଆକ୍ରମଣ ଥିଲା ପୁରା ସାନଦାନ, ଜବରଦସ୍ତ, ଧମାକାଦାର । ରତ୍ନଭଣ୍ଡାରଠୁ ଶ୍ରୀମନ୍ଦିର...ଆୟୁଷ୍ମାନଠୁ ଆରମ୍ଭ କରି ଓଡ଼ିଆ ଅସ୍ମିତା । ଏ ସବୁ ପ୍ରସଙ୍ଗରେ ଗୋଟି ଗୋଟି କରି ଜବାବ ରଖିଥିଲେ । କେନ୍ଦ୍ର କେତେ ଦେଉଛନ୍ତି କଡା ଗଣ୍ଡା କରି ହିସାବ ଦେଇଥିଲେ । ନିର୍ବାଚନ ଆରମ୍ଭର ଠିକ୍ ଦିନକ ପୂର୍ବରୁ ମୋଦିଙ୍କ ଏମିତି ବୟାନକୁ ନେଇ ଚର୍ଚ୍ଚା ଜୋର ।
ବରଗଡ଼ରେ ବି ମୋଦି ହୁଙ୍କାର । ରାଜ୍ୟ ସରକାରଙ୍କ ଉପରେ ଆସୁ ଆସୁ କଲେ ହମଲା । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ୨୫ ବର୍ଷ ଭିତରେ ବିଜେଡି ସରକାର ଓଡ଼ିଶାକୁ ଗରିବୀରୁ ବାହାରକୁ ଆଣିପାରିନି । ସାରା ଓଡ଼ିଶାରେ ବିଜେଡି ପ୍ରତି ଲୋକଙ୍କ ପ୍ରବଳ ରାଗ ରହିଛି । କାରଣ ଓଡ଼ିଶାରେ ସରକାର ପୂରା ଆଉଟ ସୋର୍ସ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଉପରେ ଜଣେ ସୁପର ସିଏମ୍ ହୋଇଗଲେଣି । ଯିଏ ଓଡ଼ିଶାକୁ ଜାଣିନି, ତା ହାତକୁ ଓଡ଼ିଶା ଯିବା ଉଚିତ କି ବୋଲି ପ୍ରଧାନମନ୍ତ୍ରୀ ମୋଦି ପ୍ରଶ୍ନ କରିଛନ୍ତି ? ଓଡ଼ିଶାକୁ ବଞ୍ଚାଇବା ଦାୟିତ୍ୱ କାହାର ବୋଲି ପଚାରିଛନ୍ତି ପ୍ରଧାନମନ୍ତ୍ରୀ । ମୋ ଓଡ଼ିଶାକୁ ବଞ୍ଚାଇବାକୁ ଆପଣମାନଙ୍କୁ ପ୍ରାର୍ଥନା କରୁଛି । ନେହୁରା ହେଉଛି ମୋ ଓଡ଼ିଶାକୁ ବଞ୍ଚାଇ ଦିଅନ୍ତୁ ବୋଲି ଆକୁଳ ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ ।
ଅପାର ପ୍ରାକୃତିକ ସଂପଦରେ ପରିପୂର୍ଣ୍ଣ ଓଡ଼ିଶା ଗରିବ କାହିଁକି । ଓଡ଼ିଶା ଧନୀ, କିନ୍ତୁ ଲୋକେ ସବୁବେଳେ ଗରିବ କାହିଁକି । ଏହାର କାରଣ ଆପଣଙ୍କ ସରକାରକୁ ନିର୍ବାଚିତ ଲୋକ ଚଳାଉ ନାହାନ୍ତି । ତେଣୁ ସମୟ ଆସିଯାଇଛି, ବଦଳିବା ଦରକାର ଏ ସରକାର ବୋଲି କହିଛନ୍ତି ମୋଦି ।