କଟକ ଚୌଦ୍ଵାରରେ ୧୯୫୦ ମସିହାରେ ପ୍ରତିଷ୍ଠା ହୋଇଥିଲା ଓଡ଼ିଶାର ପ୍ରଥମ ଲୁଗାକଳ ଓଟିଏମ । ଏହା ଉନ୍ନତ ମାନର କପଡ଼ା ତିଆରି କରି ଏସିଆ ଆୱାର୍ଡ଼ ପାଇଥିଲା । ହେଲେ ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ଏହା ଦେବାଳିଆ ହେବାରୁ ୨୦୦୦ ମସିହାରେ ସରକାର ଏଥିରେ ତାଲା ପକେଇ ଦେଲେ । ସେହି ଚୌଦ୍ଵାରରେ ୧୯୫୫ ମସିହାରେ କାଗଜ କଳ ପ୍ରତିଷ୍ଠା ହୋଇଥିଲା । ଏହା ୧୯୯୦ ପର୍ଯ୍ୟନ୍ତ ଚାଲିବା ପରେ ବିଭିନ୍ନ କାରଣ ପାଇଁ ବନ୍ଦ ହୋଇଗଲା । ୧୯୯୧ ମସିହାରେ ରାଜ୍ୟ ସରକାର ଅନ୍ୟ ଏକ ସଂସ୍ଥାକୁ ୧୦ ବର୍ଷ ପାଇଁ ଏହାକୁ ଟେକି ଦେଲେ । ହେଲେ ୨୦୦୧ ମସିହାରେ ଏହି କାଗଜ କଳ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା । କେବଳ ଏତିକି ନୁହେଁ ଏହି ଚୌଦ୍ଵାରରେ ଟାଇଲ କାରଖାନା ମଧ୍ୟ କାର୍ଯ୍ୟକାରୀ ହେଉଥିଲା । ହେଲେ ତାହା ମଧ୍ୟ କିଛି ଦିନ ପରେ ବନ୍ଦ ହୋଇଗଲା ।
ଏହା ଗୋଟିଏ ଝଲକ ଥିଲା । ଏପଟେ ଆଠଗଡ଼, ବଡମ୍ବା ନରସିଂହପୁର ଓ ବାରଙ୍ଗ ଅଞ୍ଚଳରେ ଥିବା ଅନେକ ବୃହତ ବୃହତ କାରଖାନା ବନ୍ଦ ହୋଇଛି । ଲୋକ ରୋଜଗାର ହରେଇଛନ୍ତି । ଚାଷୀ ଜୀବିକା ହରେଇଛନ୍ତି । ବେରୋଜଗାରୀଙ୍କ ସଂଖ୍ୟା ବଢ଼ିଛି । ଆଠଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ତିଗିରିଆ ବ୍ଲକ ନୂଆ ପାଟଣା ଠାରେ ଥିବା ଜଗନ୍ନାଥ ସୂତାକଳ ୧୯୮୩ ମସିହାରେ ପ୍ରତିଷ୍ଠା ହୋଇଥିଲା । ଏଠି ୧୨୦୦ ରୁ ଉର୍ଦ୍ଧ୍ବ ବୁଣାକାର ପରିବାର ଜୀବିକା ପାଇବା ସହ ରୋଜଗାର ପାଇଥିଲେ । ଏହା ୧୦ ବର୍ଷ ଚାଲିବା ପରେ ରାଜନୈତିକ ଓ ପ୍ରଶାସନିକ ଉଦାସୀନତା ଯୋଗୁଁ ଏଥିରେ ତାଲା ପଡ଼ିଗଲା । ବର୍ତ୍ତମାନ ଏହା ଭୂତ କୋଠିରେ ପରିଣତ ହୋଇଯାଇଛି ।
ଅଧିକ ପଢନ୍ତୁ ଓଡିଶା ଖବର
ସେହିପରି, ସେହି ଆଠଗଡ଼ରେ ୧୯୮୪ ରେ ମାଁ ବାଉତି ପାୱାରଲୁମ ପ୍ରତିଷ୍ଠା ହୋଇଥିଲା । ଏଥିରେ ୨୦୦ ରୁ ଉର୍ଦ୍ଧ୍ବ ଲୋକ ରୋଜଗାର ପାଇଥିଲେ । ଏହା ମଧ୍ୟ ୧୦ ବର୍ଷ ପର୍ଯ୍ୟନ୍ତ ଚାଲିବା ପରେ ବନ୍ଦ ହୋଇଗଲା । ୧୯୭୯ ମସିହାରେ ଦାରୋଡ ସୂତାରଙ୍ଗ କାରଖାନା ପ୍ରତିଷ୍ଠା ହୋଇଥିଲା । ୫୦ ରୁ ଉର୍ଦ୍ଧ୍ବ ଲୋକ ଏଠି କାମ କରୁଥିଲେ । ଏହା ମଧ୍ୟ ୧୦ ବର୍ଷ ପରେ ବନ୍ଦ ହୋଇଗଲା । ଅନ୍ୟପଟେ ବଡମ୍ବା ନରସିଂହପୁରରେ ୧୯୮୪ ମସିହାରେ ପ୍ରତିଷ୍ଠା ହୋଇଥିଲା ଚିନିକଳ । ୫ ହଜାର ଚାଷୀଙ୍କ ଅଂଶଧନରେ ଏହା ଗଢି ଉଠିଥିଲା । ହେଲେ କିଛି ବର୍ଷ ଏହା ମଧ୍ୟ ବନ୍ଦ ହୋଇଗଲା । ଲୋକ ରୋଜଗାର ହରେଇଲେ । ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଗଲେ । ତଥାପି ବନ୍ଦ ପଡ଼ିଥିବା କାରଖାନାକୁ ପୁନରୁଦ୍ଧାର କରିବା ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଲେ ନାହିଁ । ଯାହାକୁ ନେଇ ଲୋକ ପ୍ରଶ୍ନ ଉଠେଇଲେଣି ।