ଅର୍ଗସ ବ୍ୟୁରୋ : ୨୪ ନିର୍ବାଚନ ପାଇଁ ଜୋସରେ ରାଜ୍ୟ ବିଜେପିର ହେଭିୱେଟ୍ । ବାଲେଶ୍ବରରେ ଏକାଠି ପ୍ରଚାର କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ବାଲେଶ୍ବର ସାଂସଦ ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ଓ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ରେମୁଣା ବାମପଦାରୁ ବିଶାଳ ବାଇକ ଶୋଭାଯାତ୍ରାରେ ଶକ୍ତି ପ୍ରଦର୍ଶନ ସହ ଦୁଇ ଥର ପଦ୍ମ, ଦୁଇ ଗୁଣା ବିକାଶର ନାରା ଦେଇ ବିଜେପିରେ ଭୋଟ୍ ଦେବା ପାଇଁ ଜନତାଙ୍କୁ ନିବେଦନ କରିଛନ୍ତି ।
ପରେ ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀ ସାମିଲ୍ ହୋଇ ନବୀନ ଓ ବିଜେଡି ସରକାର ଉପରେ ଜୋରଦାର୍ ବର୍ଷିବା ସହ ଓଡ଼ିଶାରେ ପରିବର୍ତ୍ତନର ନାରା ଦେଇଛନ୍ତି ରାଜ୍ୟ ନେତୃତ୍ବ । ଧାନ, ପାନ ଓ ମୀନର ସହର ବାଲେଶ୍ବରରେ ନାହିଁ ବିକାଶ । ପାଣିର ଗାର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଓ ପ୍ରତିଶ୍ରୁତି । ଲୋକ ବାଛି ସାରିଛନ୍ତି ବିକଳ୍ପ । ଏଥର ସୁନିଶ୍ଚିତ ଓଡ଼ିଶାରେ ସରକାର କରିବାକୁ ଆହ୍ବାନ ଦେଇଛନ୍ତି ମନମୋହନ ସାମଲ ।
ସେହିପରି ବିକାଶ ଓ ଅସ୍ମିତା କଥା ଉଠାଇ ବିଜେଡି ସରକାରଙ୍କୁ ଜୋରଦାର୍ ଟାର୍ଗେଟ୍ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଅପାରଗ ସରକାର ଯୋଗୁଁ ବାଲେଶ୍ବରରେ ପାନୀୟ ଜଳ, ଜଳସେଚନ, ଶିକ୍ଷା, ଦାଦନ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ବିଜେପି ସରକାର ଆସିଲେ ଓଡ଼ିଆ ନମ୍ବର ୱାନ୍ ହେବ ଏହା, ମୋଦି ଗ୍ୟାରେଣ୍ଟି ବୋଲି ଦମ୍ଭୋକ୍ତି ଭରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ମୋଦିଙ୍କ ନେତୃତ୍ବରେ ବିପୁଳ ଜନମତ ଏକାଠି ହୋଇଛି । ଓଡ଼ିଶାର ଜନତା ମନ ବନାଇ ସାରିଲେଣି ବିଜେପିକୁ ଭୋଟ୍ ଦେଇ ଜିତାଇବେ ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା । ଓଡ଼ିଶାରେ ପରିବର୍ତ୍ତନର ଆଭାସ ମିଳିଛି । ରାଜ୍ୟରେ ଏଥର ବିଜେପି ସରକାର ଗଢିବ ବୋଲି କହିଛନ୍ତି ଅପରାଜିତା । ଲେଶ୍ବର ପରେ କେନ୍ଦ୍ରପଡ଼ାରେ ପହଞ୍ଚି କାର୍ଯ୍ୟକର୍ତ୍ତା ସମାବେଶରେ ସାମିଲ୍ ହୋଇଥିଲେ ମନମୋହନ ସାମଲ, ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା ଓ ଅପରାଜିତା ଷଡ଼ଙ୍ଗୀ । ଦୀର୍ଘ ୨୪ ବର୍ଷର ସ୍ଥାଣୁ ଓ ଅପାରଗ ସରକାର ବିରୋଧରେ ଜନ ଆକ୍ରୋଶ ଦେଖାଯାଇଥିବାବେଳେ ସାରା ଓଡ଼ିଶା ମୋଦିମୟ ହୋଇଛି । ଏଥର ନିଶ୍ଚୟ ପରିବର୍ତ୍ତନ ହେବ ବୋଲି କହିଛନ୍ତି ବିଜେପି ରାଜ୍ୟ ନେତୃତ୍ବ ।