ଅର୍ଗସ ବ୍ୟୁରୋ : ଭୁବନେଶ୍ୱର ଲୋକସଭା କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଲେ ବିଜେପିର ୫ ହେଭିୱେଟ ନେତା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ଵର କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ଵର ଲୋକସଭା ନିର୍ବାଚନ ମଣ୍ଡଳୀର ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ଏହି ବୈଠକରେ ଉପସ୍ଥିତ ଅଛନ୍ତି । ବୈଠକରେ ଭୁବନେଶ୍ଵର ମଧ୍ୟ ବିଧାନସଭା ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ, ଏକାମ୍ର ପ୍ରାର୍ଥୀ ବାବୁ ସିଂ ଏବଂ ଉତ୍ତର ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ମଧ୍ୟ ଯୋଗ ଦେଇଛନ୍ତି । ନିର୍ବାଚନୀ ରଣନୀତି ସମ୍ପର୍କରେ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁ ମନ୍ତ୍ର ଦେବେ ରାଜ୍ୟ ବିଜେପିର ୫ ନେତୃତ୍ବ ।
ଶ୍ରୀ ପ୍ରଧାନ କହିଛନ୍ତି, ବିଗତ ୨୪ ବର୍ଷ ଧରି ବିଜେଡିକୁ ଆପଣମାନେ ଶାସନ ଦାୟିତ୍ବ ଦେଇଛନ୍ତି । ଏଥର ବିଜେପିକୁ ଆଶୀର୍ବାଦ ଦେଲେ ଆମ୍ଭେ ଓଡ଼ିଶାକୁ ନମ୍ବର-୧ ରାଜ୍ୟ କରିବୁ । ଓଡ଼ିଶାରେ ବିଜେପି ୨୧ରୁ ୨୧ ଲୋକସଭା ଆସନ ଜିତିବ ବୋଲି କହିଛନ୍ତି ଶ୍ରୀ ପ୍ରଧାନ । ପ୍ରତ୍ୟେକ କର୍ମୀଙ୍କ ମୁଖ୍ୟ ଲକ୍ଷ୍ୟ ନିଜ ବୁଥକୁ ମଜଭୁତ କରିବା ହେବା ଉଚିତ । ବିଜେପି ପ୍ରାର୍ଥୀ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜିତାଇବାର ମାଧ୍ୟମ । ୨୪ ବର୍ଷ ହେଲା ବିଜେଡି ରାଜଧାନୀରେ ୨୪ ଘଣ୍ଟା ଧରି ପିଇବା ପାଣି ଦେଇପାରି ନାହିଁ ।
ଓଡ଼ିଶାରେ ଆଜି ମଧ୍ୟ ୨୪ ଘଣ୍ଟିଆ ବିଜୁଳି ସୁବିଧା ନାହିଁ । ଏପରିସ୍ଥଳେ ବିଜେଡି ରାଜ୍ୟବାସୀଙ୍କୁ ମାଗଣା ବିଜୁଳି ଦେବ କେମିତି ? ବିଜେପି ସରକାର ଆସିଲେ ବିଜୁଳି ପାଇଁ ପ୍ରତି ଘରେ ୭୫ ହଜାର ଟଙ୍କା ବ୍ୟୟରେ ସୋଲାର ପ୍ୟାନେଲ ଲଗାଇବ । ଭୁବନେଶ୍ବର ବସ୍ତବାସିନ୍ଦାଙ୍କୁ ଆଜି ଯାଏଁ ରାଜ୍ୟ ସରକାର ସ୍ଥାୟୀ ପଟ୍ଟା ଦେଇ ନାହାନ୍ତି । ମୋଦି ପ୍ରଧାନମନ୍ତ୍ରୀ ହେଲେ ୨ଟି କାମ ହେବ । ପ୍ରଥମତଃ ମୋଦି ୪୦୦ ପାର ସିଟ ପାଇ ପ୍ରଧାନମନ୍ତ୍ରୀ ହେଲେ ପିଓକେ ଭାରତରେ ମିଶିବ । ଦ୍ବିତୀୟତଃ ମୋଦି ପ୍ରଧାନମନ୍ତ୍ରୀ ହେଲେ ଆଉ ରାଜ୍ୟରୁ ଦାଦନ ଖଟିବାକୁ ଲୋକ ବାହାରକୁ ଯିବେ ନାହିଁ । ବିଜେଡି ରାଜ୍ୟ ନେତୃତ୍ବକୁ ଆଉଟସୋର୍ସକୁ ଦେଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଜେଡି କହୁଛି ଟୁରିଷ୍ଟ । ଗଣତନ୍ତ୍ର ଶାସନରେ କଣ ପ୍ରଶ୍ନ ପଚାରିବାର ଅଧିକାର ନାହିଁ, ଏଠି କଣ ସ୍ବେଚ୍ଛାଚାରିତା ଚାଲିଛି ? ଗୁମାସ୍ତା କହୁଛନ୍ତି ରାଜନୀତି ଛାଡ଼ିଦେବେ, ତେବେ ପାରିବ ଯଦି ଲୁଟ ନୀତି ଛାଡ଼ିଦିଅ । ଆସନ୍ତା ୧୨ ବର୍ଷ ପରେ ସ୍ବତନ୍ତ୍ର ଓଡ଼ିଶାକୁ ଶହେ ବର୍ଷ ପୂରିବ । ଏପରି ସ୍ଥଳେ ଆଜି ଓଡ଼ିଶାର ସ୍ଥିତି ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଅଛି ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।