ସେପଟେ ଅଧିକରୁ ଅଧିକ ମତଦାନ ପାଇଁ ଅପିଲ୍ ବି କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇସାରିଛି । ଦେଶର ୧୦୨ ଆସନ ପାଇଁ ଚାଲିଛି ମତଦାନ, ରେକର୍ଡ ସଂଖ୍ୟକ ଭୋଟ୍ ଦିଅନ୍ତୁ । ଯୁବ ଭୋଟର, ପ୍ରଥମ ଥର ଭୋଟ୍ ଦେଉଥିବା ଭୋଟର ସର୍ବାଧିକ ସଂଖ୍ୟାରେ ଭୋଟ୍ ଦିଅନ୍ତୁ । ଆପଣମାନଙ୍କ ମଧ୍ୟରୁ ଗୋଟିଏ ଭୋଟ୍ ଭାରତ ପାଇଁ ଏକ ଉଜ୍ବଳ ଭବିଷ୍ୟତ ନିଶ୍ଚିତ କରିବ ।
ଆଜିଠୁ ଆରମ୍ଭ ହେଉଛି ଗଣତନ୍ତ୍ରର ମହାପର୍ବ । ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠାରୁ ପଡ଼ୁଛି ଭୋଟ୍ । ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୧୦୨ ସିଟ୍ ପାଇଁ ହେଉଛି ଭୋଟିଂ । ତାମିଲନାଡ଼ୁର ସମସ୍ତ ୩୯ ସିଟ୍, ରାଜସ୍ଥାନର ୧୨, ଉତ୍ତର ପ୍ରଦେଶର ୮, ମଧ୍ୟପ୍ରଦେଶର ୬, ଆସାମ-ମହାରାଷ୍ଟ୍ର-ଉତ୍ତରାଖଣ୍ଡର ୫ଟି ଲେଖାଏଁ ସିଟରେ ଭୋଟିଂ ହେବ । ସେହିପରି ପୁଡ଼ୁଚେରୀ, ଲାକ୍ଷାଦୀପ, ଜମ୍ମୁକାଶ୍ମୀର, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର ଗୋଟିଏ ଲେଖାଏଁ ସିଟରେ ବି ମତଦାନ କରିବେ ଜନତା ।
ଅଧିକ ପଢନ୍ତୁ : ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠାରୁ ପଡ଼ୁଛି ଭୋଟ୍
ଏହାବାଦ ଛତିଶଗଡ଼ର ମାଓପ୍ରବଣ ବସ୍ତରରେ ବି ପ୍ରଥମ ପର୍ଯ୍ୟାୟରେ ଭୋଟ୍ ପଡ଼ିବ। ୧୦୨ଟି ଆସନରେ ମୋଟ୍ ୧୬୨୫ ଜଣ ପ୍ରାର୍ଥୀ ରହିଥିବା ବେଳେ ପୁରୁଷ ୧୪୯୧ ଓ ୧୩୪ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ସେହିପରି କାଭାଁ ସ୍ଥାନକୁ ଛାଡ଼ିଦେଲେ ଅଧିକାଂଶ ଜାଗାରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ପ୍ରଥମ ପର୍ଯ୍ୟାୟରେ ମୋଟ୍ ୧୬.୬୩ କୋଟି ଭୋଟର୍ ରହିଛନ୍ତି ଯେଉଁମାନଙ୍କ ମଧ୍ୟରେ ରହିଛନ୍ତି ୮.୪ କୋଟି ପୁରୁଷ ଓ ୮.୨୩ କୋଟି ମହିଳା । ପାଖାପାଖି ୩୫ ଲକ୍ଷ ୬୭ ହଜାର ନୂଆ ଭୋଟର୍ ପ୍ରଥମ ପର୍ଯ୍ୟାୟରେ ମତଦାନ କରିବେ ।