ଅର୍ଗସ ବ୍ୟୁରୋ: ବୌଦ୍ଧରେ ଏଥର ବିଜେଡି ପୁଣି ଥରେ 5 -5 ଥରର ବିଧାୟକ ପ୍ରଦୀପ କୁମାର ଅମାତଙ୍କୁ ରିପିଟ୍ କରିଛନ୍ତି । ବିଜେପିରୁ ପ୍ରତିଦ୍ବନ୍ଦିତା କରୁଛନ୍ତି ହରଭଙ୍ଗା ବ୍ଲକର ବର୍ତ୍ତମାନର ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ। 2019ରେ ପ୍ରାର୍ଥୀ ଦେଇ ନ ଥିବା କଂଗ୍ରେସ ଏଥର ନବ କୁମାର ମିଶ୍ରଙ୍କୁ ମୈଦାନକୁ ଓହ୍ଲାଇଛି । 2014ରେ ବିଜେଡି-କଂଗ୍ରେସ ମଧ୍ୟରେ କଡ଼ା ଫାଇଟ୍ ହୋଇଥିବା ବେଳେ 2019ରେ ସ୍ଥିତି ବଦଳିଥିଲା । ବିଜେଡି-ବିଜେପି ମଧ୍ୟରେ ହୋଇଥିଲା କଡ଼ା ମୁକାବିଲା । ମାତ୍ର 10 ହଜାର ଭୋଟରେ ବିଜେପିଠାରୁ ଆସନ ଛଡ଼ାଇ ନେଇଥିଲା ବିଜେଡି।
ତେଣୁ ଏଥର ବିଜେପି ପ୍ରାର୍ଥୀ ବିଜେଡିର ଗଡ଼ ଭାଙ୍ଗିବାକୁ କରୁଛନ୍ତି ଜୋରଦାର ଉଦ୍ୟମ । ମୋଦି ଗ୍ୟାରେଣ୍ଟି ସହ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଭୋଟରମାନଙ୍କ ପାଖକୁ ଯାଉଛନ୍ତି ବିଜେପି ପ୍ରାର୍ଥୀ ସରୋଜ କୁମାର ପ୍ରଧାନ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାକୁ ନେଇ ଭୋଟ ଭିକ୍ଷା କରୁଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ଅମାତ । ସେହିପରି କଂଗ୍ରେସ ମଧ୍ୟ ପଛରେ ପଡ଼ିନାହିଁ । 25 ବର୍ଷ ସରକାରର ଅପାରଗତାକୁ ପାଥେୟ କରି ଲୋକଙ୍କ ପାଖକୁ ଯାଉଛନ୍ତି କଂଗ୍ରେସ ପ୍ରାର୍ଥୀ ନବ କୁମାର ମିଶ୍ର ।
25 ବର୍ଷର ସ୍ଥିର ବିଜେଡି ସରକାର ଓ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ଅମାତ ପାଞ୍ଚ ଥର ବିଧାନସଭାକୁ ଯାଇଥିଲେ ସୁଦ୍ଧା ବୌଦ୍ଧରେ କୌଣସି ଆଖିଦୃଶିଆ ବିକାଶ ହୋଇନାହିଁ । ପିଇବା ପାଣି ସମସ୍ୟା, ରାସ୍ତା ଘାଟ, ଆବାସ ଯୋଜନାରେ ଘର ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ, ମେଡିକାଲରେ ଡାକ୍ତର ନାହାନ୍ତି, ସ୍କୁଲରେ ଶିକ୍ଷକ ନାହାନ୍ତି, ଅଙ୍ଗନବାଡି ଘର ନାହିଁ, ଲୋକେ ରୋଜଗାର ନ ପାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ଏଥର ପରିବର୍ତ୍ତନ ନିଶ୍ଚିତ ବୋଲି ଆଭାସ ମିଳିଲାଣି ।
ତେବେ 2000ମସିହାରୁ ପ୍ରତିନିଧିତ୍ବ କରୁଥିବା ପ୍ରଦୀପ ଅମାତଙ୍କୁ ଲୋକେ ପୁଣି ଥରେ ଭରସା କରିବେ ନା ମୋଦିଙ୍କ ଗ୍ୟାରେଣ୍ଟି ନା କଂଗ୍ରେସର ଗ୍ୟାରେଣ୍ଟି ଉପରେ ଭରସା କରିବେ ମତଦାନ ଏହା ଶୀଘ୍ର ସାମ୍ନାକୁ ଆସିବ।
ଅଧିକ ପଢ଼ନ୍ତୁ ନିର୍ବାଚନ ଖବର