ଅର୍ଗସ ବ୍ୟୁରୋ : ଗୋଟିଏ ଦିନରେ ପ୍ରାର୍ଥୀପତ୍ର ଦାଖଲ କଲେ ରାଜ୍ୟର ହେଭିୱେଟ୍ ନେତା । ସମ୍ବଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଂଟାବାଞ୍ଜିରୁ ନବୀନ ପଟ୍ଟନାୟକ ନାମାଙ୍କନ ଦାଖଲ କରିଥିବା ବେଳେ ଭୁବନେଶ୍ୱରରୁ ଅପରାଜିତା-ମନ୍ମଥ ଓ ପୁରୀରୁ ଅରୂପ ପଟ୍ଟନାୟକ ଦାଖଲ କରିଛନ୍ତି ନାମାଙ୍କନ ।
ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଲୋକସଭା ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ ପୂର୍ବରୁ ମା’ ସମଲେଶ୍ବରୀଙ୍କ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ନେଇଥିଲେ । ତା ପରେ ଶୋଭଯାତ୍ରାରେ ରାମଜୀଗୁଡ଼ି, ବାଲିବନ୍ଧା, କୁଞ୍ଜେଲପଡା, ଝାଡୁଆପଡା, ନନ୍ଦପଡା, ଦଲେଇପଡା, ମ୍ୟୁନିସିପାଲଟି ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲା । କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବଲପୁର ଲୋକସଭାର ପ୍ରାର୍ଥୀତ୍ୱ ଭାବେ ସମ୍ବଲପୁରବାସୀ ସ୍ୱାଗତ କରିଛନ୍ତି ।
ମୋଟ୍ ଉପରେ ପ୍ରାର୍ଥୀତ୍ୱ ଘୋଷଣା ହେବା ଠାରୁ ଶ୍ରୀ ପ୍ରଧାନ ସମ୍ବଲପୁରର ସବୁ ବର୍ଗର ଲୋକମାନଙ୍କୁ ଭେଟି ସେମାନଙ୍କ ଆଶୀର୍ବାଦ କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱକୁ ସାକାର କରି ଅନେକ ଦକ୍ଷ, ଅନୁଭବୀ ବିଜେଡି ଏବଂ କଂଗ୍ରେସ ଦଳର ନେତା, ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଓ ଯୁବନେତାମାନେ ସାମିଲ ହୋଇଛନ୍ତି, ଯାହା କେନ୍ଦ୍ରମନ୍ତ୍ରୀଙ୍କ ପରିଶ୍ରମ ଓ ସାଂଗଠନିକ କାର୍ଯ୍ୟ ଏବଂ ଦକ୍ଷତାକୁ ପ୍ରତିପାଦିତ କରିଛି ।
ସେହିପରି କଣ୍ଟାବାଞ୍ଜି ବିଧାନସଭା ଆସନରୁ ନାମାଙ୍କନ ଭରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ନବୀନଙ୍କ ଦ୍ବିତୀୟ ନିର୍ବାଚନ କ୍ଷେତ୍ର । ଏଠାରୁ ପ୍ରଥମ ଥର ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ନବୀନ । ପୂର୍ବରୁ ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରି ସାରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ହେଲିକପ୍ଟର ଯୋଗେ ଟିଟିଲାଗଡ଼ରେ ପହଞ୍ଚିବା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ଭରିଥିଲେ । ପୂର୍ବରୁ ହିଞ୍ଜିଳି ବିଧାନସଭା ଆସନରୁ ନାମାଙ୍କନପତ୍ର ଭରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେ ୨୦ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ଏହି ଆସନ ପାଇଁ ମତଦାନ ହେବ ।
ସେହିପରି ଆଜି ସୁନ୍ଦରଗଡ଼ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଜୁଏଲ ଓରାମ ମଧ୍ୟ ନିଜ ପ୍ରାର୍ଥୀ ଦାଖଲ କରିଛନ୍ତି । ନିଜ ସମର୍ଥଙ୍କ ସହ ବିଶାଳ ରାଲି କରି ନିଜ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସେହିପରି ଆଜି ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ଦାଖଲ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବରମୁଣ୍ଡା ପଡିଆରୁ ଆରମ୍ଭ ହୋଇଥିଲା ଅପରାଜିତାଙ୍କ ମହିଳା ବାଇକ ରାଲି ଏବଂ ଯୁବକ ବୁଲେଟ ରାଲି । ଭୁଆସୁଣୀ ମନ୍ଦିରରୁ ସମୂହ ବାଇକ୍ ଏବଂ କାର ରାଲି କରି ବାହିରିଥିଲେ । ଶେଷରେ ଖୋର୍ଦ୍ଧା ଜିଲ୍ଲାପାଲଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କରିଥିଲେ । ସେହିପରି ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ମଧ୍ୟ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହାସହ ପୁରୀ ଲୋକସଭା ଆସନରୁ ନାମାଙ୍କନ ମଧ୍ୟ ଭରିଛନ୍ତି ଅରୁପ ପଟ୍ଟନାୟକ । ନାମାଙ୍କନ ଦାଖଲବେଳେ ସବୁ ଦଳ ନିଜ ନିଜ ଶକ୍ତି ପଦର୍ଶନ କରିଥିଲେ ।