ରାସେଶ୍ବରୀଙ୍କର ସମ୍ବଲପୁର ରାଜନୀତିରେ ରହିଛି ବଡ଼ ପ୍ରଭାବ । ତାଙ୍କ ପରିବାର ଗତ ୫ ଦଶକ ଧରି ସମ୍ବଲପୁର ରାଜନୀତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇ ଆସିଛନ୍ତି । ରାସେଶ୍ବରୀଙ୍କ ବଡ଼ଭାଇ ଶ୍ରୀବଲ୍ଲଭ ପାଣିଗ୍ରାହୀ ୩ ଥର ସାଂସଦ ଏବଂ ୨ ଥର ବିଧାୟକ ଭାବେ ନିର୍ବାଚିତ ହେବା ସହ ରାଜ୍ୟ ସରକାରଙ୍କର ମନ୍ତ୍ରୀ ବି ଥିଲେ । ଏହାଛଡ଼ା ଖୋଦ୍ ରାସେଶ୍ବରୀଙ୍କର ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ ସାରା ପଶ୍ଚିମ ଓଡ଼ିଶାରେ ବଡ଼ ସୁଖ୍ୟାତି ରହିଛି । ସେ ଦୀର୍ଘ ଦିନ ଧରି ସମାଜସେବା କରି ସମ୍ବଲପୁର ଜିଲ୍ଲାରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।
ଯେଉଁଥିପାଇଁ ବିଜେଡି ୨୦୧୪ରେ ତାଙ୍କୁ ସମ୍ବଲପୁର ବିଧାନସଭା ଆସନରୁ ଟିକେଟ୍ ଦେଇଥିଲା । ଆଉ ସେ ୩ ଥର ବିଧାୟକ ତଥା ବିଜେପିର ଟାଣୁଆ ନେତା ଜୟନାରାୟଣ ମିଶ୍ରଙ୍କୁ ପରାସ୍ତ କରିଥିଲେ । ତେବେ ୨୦୧୯ରେ ସେ ଜୟନାରାୟଣଙ୍କଠାରୁ ପରାଜିତ ହୋଇଥିଲେ । ହେଲେ ସମ୍ବଲପୁରର ବିଜେଡି ସଂଗଠନରେ ତାଙ୍କର ପ୍ରଭାବ ସଂପୂର୍ଣ୍ଣ ଭାବେ ଥିଲା । ସେ ବିଜେଡି ଟିକେଟ୍ ପାଇଁ ହକଦାର ଥିଲେ ବି ପାଣ୍ଡିଆନଙ୍କ ନକଟତର ଭାବେ ଜଣାଶୁଣା ରୋହିତ ପୂଜାରୀଙ୍କୁ ଏଠାରୁ ପ୍ରାର୍ଥୀ କରି ବିଜେଡି ନିଜ ଗୋଡ଼ରେ କୁରାଢି ମାରିଛି ।
ଅଧିକ ପଢନ୍ତୁ ଓଡିଶା ଖବର
ରାସେଶ୍ବରୀଙ୍କ ପ୍ରତି ଦଳର ଅଣଦେଖା ତାଙ୍କ ସମର୍ଥକଙ୍କୁ କେତେ ବାଧିଛି ତାହା ଏହି ଦୃଶ୍ୟ ବୟାନ କରୁଛି । ସେମାନେ ରାଗରେ ସମ୍ବଲପରୁ ବିଜେଡି କାର୍ଯ୍ୟାଳୟରେ ଲାଗିଥିବା ଦଳର ପୋଷ୍ଟର ଓ ହୋର୍ଡିଂକୁ ଚିରି ଦେଇଛନ୍ତି । ଡାକ୍ତର ପାଣିଗ୍ରାହୀଙ୍କର କେବଳ ସମ୍ବଲପରୁ ବିଧାନସଭା କ୍ଷେତ୍ର ନୁହେଁ ସମଗ୍ର ଜିଲ୍ଲାର ବିଜେଡି ସଂଗଠନ ଉପରେ ପ୍ରଭାବ ରହିଛି । ତେଣୁ ତାଙ୍କର ଦଳ ଛାଡ଼ିବା ଯୋଗୁଁ ବିଜେଡିକୁ ସମ୍ବଲପୁରରେ ବଡ଼ ମୂଲ୍ୟ ଦେବାକୁ ପଡ଼ିପାରେ । ଯଦିଓ ରାସେଶ୍ବରୀ ଅନ୍ୟ କୌଣସି ଦଳରେ ଯୋଗଦେବେ ନାହିଁ ତେବେ ସମ୍ବଲପୁରର ସ୍ବାଭିମାନକୁ ଦେଖି ଭୋଟ୍ ଦେବାକୁ ଜନତାଙ୍କ ଆହ୍ବାନ ଦେଇ ପରୋକ୍ଷରେ ବିଜେଡିକୁ ଭେଟ୍ ନଦେବାକୁ କରିଦେଇଛନ୍ତି ଅପିଲ ।