ଅର୍ଗସ ବ୍ୟୁରୋ : ଭୈରବ କାର୍ତ୍ତିକେୟନ ପାଣ୍ଡିଆନ । ପ୍ରଶାସକରୁ ପଲିଟିସିଆନ୍ ପାଲଟିଥିବା ଏ ବିଜେଡି ନେତାଙ୍କ ବୟାନ ନେଇ ସୃଷ୍ଟି ହୋଇଛି ବଡ଼ ବିବାଦ । ରାଜ୍ୟରେ ଶାସନ କଳରୁ ନେଇ ଶାସକ ଦଳ ଯାଏଁ ସବୁ ଉପରେ କବଜା କରିଥିବା ପାଣ୍ଡିଆନ ଶବ୍ଦର ଚଞ୍ଚକତା କରି କହିଛନ୍ତି ସେ ହିଁ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ । ସିଧା ସିଧା ଉତ୍ତରାଧିକାରୀ ବଦଳରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ ପାଣ୍ଡିଆନ କହିଛନ୍ତି, ସେ ନବୀନ ପଟ୍ଟନାୟକଙ୍କ ମୂଲ୍ୟବୋଧର ଉତ୍ତରାଧିକାରୀ ।
ଭୈରବ କେ. ପାଣ୍ଡିଆନ ହିଁ ବିଜୁ ଜନତା ଦଳ ଓ ନିର୍ବାଚନ ପରିଚାଳନାରେ ସର୍ବେସର୍ବା ଏକଥା କାହାରିକୁ ଅଛପା ନାହିଁ । ବିଜେଡି ପ୍ରଚାର ମଇଦାନରେ ଦୁଇ ନମ୍ବର । ଓଡିଶାବାସୀ ହିଁ ତାଙ୍କର ଉତ୍ତରାଧିକାରୀ ବାଛିବେ ବୋଲି ପୂର୍ବରୁ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିନ୍ତୁ ବିଜେଡିର ନିର୍ବାଚନ ପରିଚାଳନା, ମୁଖ୍ୟମନ୍ତ୍ରୀଙ୍କ ଇସାରା ଓ ପାଣ୍ଡିଆନଙ୍କ ବୟାନ ସ୍ପଷ୍ଟ କରୁଛି ସେ ନବୀନଙ୍କ ଉତ୍ତରାଧିକାରୀ । ଏହାକୁ ନେଇ ନବୀନ ଓ ପାଣ୍ଡିଆନଙ୍କୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଜାତୀୟ ଗଣମାଧ୍ୟମକୁ ଖୋଦ ପାଣ୍ଡିଆନ ପ୍ରଥମ ପୁରୁଷ ଏକ ବଚନରେ କହିଛନ୍ତି, ସେ ହିଁ ନବୀନ ପଟ୍ଟନାୟକଙ୍କ ମୂଲ୍ୟବୋଧର ଉତ୍ତରାଧିକାରୀ । ସମଝଦାରୋ କୋ ଇସାରା କାଫି ହୈ । କିନ୍ତୁ ଉତ୍ତରାଧିକାରୀ ଏଥର ନିର୍ବାଚନ ଲଢୁନାହାନ୍ତି । କାରଣ ପାଣ୍ଡିଆନ୍ ଓଡିଶାର ମୂଳ ବାସିନ୍ଦା ନୁହନ୍ତି । ଅନ୍ୟପଟେ ଏଥର ନିର୍ବାଚନରେ ଓଡ଼ିଆ ଅସ୍ମିତା, ସ୍ବାଭିମାନ ଓ ସଂସ୍କୃତିକୁ ବିଜେପି ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ କରିଛି । ଖୋଦ୍ ପ୍ରଧାନମନ୍ତ୍ରୀ କହିଛନ୍ତି ଓଡ଼ିଆ ଭାଷା ଓ ସଂସ୍କୃତି ସଙ୍କଟରେ ପଡ଼ିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନା ଦାୟିତ୍ବ ନେଉଛନ୍ତି ନା ନିର୍ବାଚନ ଲଢ଼ୁଛନ୍ତି, ବୋଧ ହୁଏ ଗଳାବାଟ ଖୋଜୁଛନ୍ତି ପାଣ୍ଡିଆନ । ବିଜେପି ଓଡ଼ିଆ ଅସ୍ମିତାକୁ ମୁଖ୍ୟ ପ୍ରସଙ୍ଗ କରିଛି । କାଳେ ଓଡ଼ିଶାବାସୀ ପ୍ରତ୍ୟାଖାନ କରିବେ ସେଥିପାଇଁ ଭାବିଚିନ୍ତି ନିଜ ପାଇଁ ଯୋଜନା କରୁଛନ୍ତି କି ଭୈରବ ? ପାଣ୍ଡିଆନ ନିର୍ବାଚନ ଲଢ଼ିଲେ ଓଡିଆ ସ୍ବାଭିମାନ ସହ ହୋଇପାରେ ଲଢ଼େଇ । ଦୁଇ ଆସନରୁ ଲଢୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ଆସନରୁ ଉପନିର୍ବାଚନ କରିବାକୁ ହେଉଛି ଷଡ଼ଯନ୍ତ୍ର । ଏବେ ପ୍ରଶ୍ନ ବିଜୁବାବୁଙ୍କ ପୁଅ ନବୀନ ପଟ୍ଟନାୟକଙ୍କ ଖଣ୍ଡି ଓଡ଼ିଆକୁ ଓଡ଼ିଶାବାସୀ ଗ୍ରହଣ କରିଛନ୍ତି । ମାତ୍ର ଅଣ ଓଡ଼ିଆ ଅଫିସରଙ୍କ ଉତ୍ତରାଧିକାରୀ ପ୍ରସଙ୍ଗକୁ ଓଡିଶାବାସୀ ଗ୍ରହଣ କରିବେ କି ?