ଏପଟେ ଦଳୀୟ ସମର୍ଥକ ଓ କର୍ମୀଙ୍କ ଗହଣରେ ଧର୍ମେନ୍ଦ୍ରଙ୍କ ଶୋଭାଯାତ୍ରା ସମ୍ବଲପୁରରେ ଅଦିନରେ ଶୀତଳଷଷ୍ଠୀ ଯାତ୍ରାର ଭ୍ରମ ସୃଷ୍ଟି କରିଥିଲା । ଶୋଭାଯାତ୍ରାରେ ସାମିଲ ହୋଇଥିଲେ ହଜାର ହଜାର ସମର୍ଥକ । ମା ସମଲେଇ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଲି ରାମଜୀମନ୍ଦିର, ବାଲିବନ୍ଧା, କୁଞ୍ଜେଲପଡା, ଝାଡୁଆପଡା,ନନ୍ଦପଡା, ଦଳେଇପଡା, ମ୍ୟୁନିସପାଲିଟି ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଞ୍ଚିଥିଲା । ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ 4ସେଟ୍ ର ନାମାଙ୍କନ ପତ୍ର ଦାଖଲ କରିଥିଲେ । ନାମାଙ୍କନପତ୍ର ଦାଖଲ ସମୟରେ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପିର ସମସ୍ତ ବିଧାୟକ ପ୍ରାର୍ଥୀ, ରାଜ୍ୟ ବିଜେପିର ହେଭିୱେଟ ମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ମା ସମଲେଇଙ୍କ ଆଶୀର୍ବାଦ ନେଇ ସମ୍ବଲପୁରବାସୀଙ୍କ ଆଶା, ଆକାଂକ୍ଷା ପୂରଣ କରିବାକୁ ସଂକଳ୍ପ ନେବା ସହ କଣ୍ଟାବାଞ୍ଜି ଉପରେ ନବୀନ ସରକାର ଶ୍ବେତପତ୍ର ଦେବାକୁ ଦାବି କରିଛନ୍ତି ଧର୍ମେନ୍ଦ୍ର । ଦାଦନ ପ୍ରସଙ୍ଗ ନେଇ ପୁଣି 24 ବର୍ଷର ସ୍ଥିର ସରକାରଙ୍କୁ କରିଛନ୍ତି ସଣ୍ଡୁଆସୀ ଆକ୍ରମଣ ।
ସେପଟେ ହେଭିୱେଟଙ୍କ ନାମାଙ୍କନ ପରେ ଉତ୍ସାହିତ ହୋଇଛନ୍ତି ସମର୍ଥକ । ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଜୁଏଲ ଓରାମ, ଭୁବନେଶ୍ବର ଆସନ ପାଇଁ ନାମାଙ୍କନ ଭରିଛନ୍ତି ଅପରାଜିତା ଷଡଙ୍ଗୀ । ସେହିପରି ସୁନ୍ଦରଗଡ଼ ସଦର, ତଳସରା ଓ ରାଜଗାଙ୍ଗପୁର ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ କୁସୁମ ଟେଟେ, ଭବାନୀ ଭୋଇ ଓ ନରସିଂହ ମିଞ୍ଜ ବି ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ ଶ୍ରମ ନିୟୋଜନ ଓ ଜଙ୍ଗଲ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ । ସେହିପରି ପୁରୀ ବିଜେଡି ଲୋକସଭା ପ୍ରାର୍ଥୀ ଅରୁପ ପଟ୍ଟନାୟକ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପାଖେଇ ଆସୁଛି ନିର୍ବାଚନ । ସରଗରମ ହେଉଛି ମଇଦାନ । ବିଜେପି ସହ ବିଜେଡି ହେଭିୱେଟ ପ୍ରାର୍ଥୀପତ୍ର ଦାଖଲ କରି ଲୋଡିଛନ୍ତି ଜନତା ଜନାର୍ଦ୍ଦନଙ୍କ ଆଶୀର୍ବାଦ ।
ଅଧିକ ପଢନ୍ତୁ ଓଡ଼ିଶା ଖବର