ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ଆଜି ଘଟଗାଁ ହାଇସ୍କୁଲ ପଡିଆ ଲୋକାରଣ୍ୟ ହୋଇଯାଇଥିଲା । ହେଲିପ୍ୟାଡରେ ପହଂଚିବା ପରେ ଲୋକମାନେ ତାଙ୍କୁ ହାତ ହଲାଇ ଜଣାଇଥିଲେ ଅଭିନନ୍ଦନ । ମୁଖ୍ୟମନ୍ତ୍ରୀ ବି ସେମାନଙ୍କୁ ନିରାଶ କରି ନଥିଲେ । ସେ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ଠାରୁ ଫୁଲତୋଡା ଗ୍ରହଣ କରିବା ସହ ହାତ ମିଳାଇଥିଲେ । ଏହାପରେ ହେଲିପ୍ୟାଡରୁ ଘଟଗାଁ ତାରିଣୀ ମନ୍ଦିର ପର୍ଯ୍ୟନ୍ତ ରୋଡ ସୋ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ରାସ୍ତାର ଦୁଇ ପାର୍ଶ୍ବରେ ଅପେକ୍ଷା କରିଥିଲେ ହଜାର ହଜାର ଲୋକ । ମୁଖ୍ୟମନ୍ତ୍ରୀଙ୍କ ପହଞ୍ଚିବା ପରେ ଘଟଗାଁ ବଜାରରେ ଫୁଲ ବର୍ଷା ହୋଇଥିଲା । ତାରିଣୀ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା। ଏହି ଅବସରରେ ରାଜା ଗୋବିନ୍ଦ ଭଂଜ ଓ ମନ୍ଦିରର ପ୍ରତିଷ୍ଠାତା ଭୀମସେନ ରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ।
ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଆଉ ଏକ ବିଶାଳ ରୋଡ ଶୋର ଭାଗ ନେଇଥିଲେ । କେନ୍ଦୁଝରର ପ୍ରସିଦ୍ଧ ବଳଦେବଜୀଉଙ୍କ ଦର୍ଶନ କରିବା ପରେ ସେ କେନ୍ଦୁଝର ଷ୍ଟାଡିୟମ ପର୍ଯ୍ୟନ୍ତ ରୋଡ ସୋରେ ଯାଇଥିଲେ । ଏଥିରେ ସାମିଲ ହୋଇଥିଲେ ହଜାର ହଜାର ଜନତା। କେନ୍ଦୁଝର ଷ୍ଟାଡିୟମ ପଡିଆରେ ତାଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ଦିଆଯାଇଥିଲା ସ୍ବାଗତ । ମୁଖ୍ୟମନ୍ତ୍ରୀ ହେବା ପରେ ଆସନ୍ତାକାଲି ପ୍ରଥମଥର ପାଇଁ ତାଙ୍କ ଗାଁ ରାଇକଳାକୁ ଯିବେ । ସେଠାରେ ନିଜର ପରିବାର ଲୋକଙ୍କ ସହ ଏକାଠି ମିଶି ମଧ୍ୟାହ୍ନ ଭୋଜନ କରିବେ ।
ଅଧିକ ପଢନ୍ତୁ ଓଡିଶା ଖବର