କହୁ କହୁ ସତ କହିଦେଲେ ସୌମ୍ୟରଂଜନ । ଘସିପୁରାରୁ ୨୪ରେ ସେ ମଇଦାନକୁ ଓହ୍ଲାଇପାରନ୍ତି । ଯେଉଁଥି ଲାଗି ତାଙ୍କ ଉପରେ ପ୍ରବଳ ଚାପ ପକାଉଛନ୍ତି ସ୍ଥାନୀୟ ବାସିନ୍ଦା । ସେଇଥି ଲାଗି ତ ମାଆଙ୍କ ଆଶୀର୍ବାଦ ନେବାକୁ ମୁଁ ଘଟଗାଁ ଆସିଛି ବୋଲି ସୌମ୍ୟ କହିଛନ୍ତି । ଏହାସହ ସେ ପ୍ରଶ୍ନ କରିଛନ୍ତି, ବିଜେଡି କାହିଁକି ଖଣ୍ଡପଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ ଘୋଷଣା କରିନି ? କ’ଣ ରହସ୍ୟ ରହିଛି ? କିଛି ଏମିତି ପ୍ରଶ୍ନ କରିଛନ୍ତି ସୌମ୍ୟ । ଗତକାଲି ସକାଳୁ ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପରେ କେନ୍ଦୁଝର ଜିଲ୍ଲାର ଆରାଧ୍ୟା ଦେବୀ ଘଟଗାଁ ମା’ ତାରିଣୀଙ୍କୁ ଦର୍ଶନ କରିବା ପରେ ସେ ଖୁବଶୀଘ୍ର ନିର୍ବାଚନ ମୈଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ଜୋର ଧରିଛି ।
ମୋଟ୍ ଉପରେ, ଲଗାତର ନିଜ ସଂପାଦକୀୟ ପ୍ରହାରରେ ସରକାର, ଫାଇଭ୍-ଟି ସଚିବ ଓ ନିଜ ଦଳ ବିଜେଡିକୁ ଘାଇଲା କରିବା ପରେ ପ୍ରଥମେ ଗତ ସେପ୍ଟେମ୍ବର ୧୨ ତାରିଖରେ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଉପସଭାପତି ପଦରୁ ହଟାଇଥିଲା ବିଜେଡି । ଏହାପରେ ସେପ୍ଟେମ୍ବର ୨୧ରେ ଲୋନ୍ ଦୁର୍ନୀତି ଭଳି ଜନବିରୋଧୀ ଷ୍ଟାମ୍ପ ମାରି ଦଳରୁ ତଡ଼ି ଦେଇଥିଲେ ସୁପ୍ରିମୋ । ତେବେ ଏହାପରଠୁ ସୌମ୍ୟଙ୍କ ଆଗାମୀ ପଦକ୍ଷେପ କ’ଣ ହେବ ତାହାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିଲା । ପୂର୍ବରୁ ସେ କହିଥିଲେ କି ନିର୍ବାଚନ ଲଢିନପାରନ୍ତି । ହେଲେ ଏବେ ପୁଣି ଥରେ ନିର୍ବାଚନ ମଇଦାନକୁ ଓହ୍ଲାଉଥିବା ଚର୍ଚ୍ଚା ହେବା ପରେ ବିଜେଡି ଲାଗି ଟେନ୍ସନ୍ ବଢିଛି । କାରଣ ଘସିପୁରାରେ ବିଜେଡିର ସ୍ଥିତି ଯାହା ଯଦି ସୌମ୍ୟଙ୍କ ପରି ହେଭିୱେଟ୍ ନିର୍ବାଚନ ଲଢନ୍ତି ତାହାଲେ ବିଜେଡି ପାଇଁ ବୁମେରାଂ ହେବ । ତେବେ ସମୟ କହିବ ସୌମ୍ୟ ନିର୍ବାଚନକୁ ଓହ୍ଲାଉଛନ୍ତି କି ନାହିଁ ।