ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟ ବ୍ଲକ କାକରପାଣି ଗାଁ । ଏହି ଗାଁରେ ରହନ୍ତି ୫୦୦ରୁ ଅଧିକ ପରିବାର । ରାତି ପାହିଲେ ଗାଁର ମହିଳାଙ୍କ ପାଇଁ ପାଣି ଚିନ୍ତା । ଦଶକ ଦଶକ ଧରି ଏମାନେ ପିଇବା ପାଣି ପାଇଁ କରୁଛନ୍ତି ସଂଘର୍ଷ । ଅତିଷ୍ଠ ହୋଇ ଶେଷରେ ଗରା ବାଲଟି ଧରି କୋଚିଳାଘାଟି ପଞ୍ଚାୟତ ଅଫିସ ଘେରାଉ କରିଛନ୍ତି କାକରପାଣି ଗାଁ ଲୋକେ । ସେହିପରି ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ରୁଗୁଡ଼ିପଡା ଗାଁ ଲୋକେ ପିଇବା ପାଣି ପାଇଁ ହେଉଛନ୍ତି ହନ୍ତସନ୍ତ । କେବଳ ଗାଁ ନୁହେଁ ବଡ଼ବିଲ ଭଳି ସହରରେ ବି ପାନୀୟ ଜଳର ଘୋର ସଙ୍କଟ ।
ସେହିପରି ହିଞ୍ଜିଳିରୁ ନେଇ ଘସିପୁରା, ମାହାଙ୍ଗାରୁ ମହାକାଳପଡ଼ା । ବିଜେଡି ସରକାରର ଅପାରଗତାରୁ ସବୁଠି ପାଣି ପାଇଁ ହାହାକାର । ଏ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଏବେ ବି ରାଜ୍ୟର ୪୦ ପ୍ରତିଶତ ପରିବାର ପାଖରେ ପହଂଚୁ ନାହିଁ ଶୁଦ୍ଧ ପାନୀୟ ଜଳ। ରାଜ୍ୟର ସ୍କୁଲ ଗୁଡ଼ିକରେ ବି ପିଇବା ପାଣି ନ ମିଳିବା ରୂପାନ୍ତରୀକରଣ କି ବୋଲି ପ୍ରଶ୍ନ କରି ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଛି ବିଜେପି ।
ଓଡ଼ିଶାର ପ୍ରତି ଘରକୁ ସ୍ବଚ୍ଛ ପାନୀୟ ଜଳ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦,୨୦୭ କୋଟି ଟଙ୍କା ଦେବା ସତ୍ବେ ରାଜ୍ୟରେ କାହିଁକି ଉତ୍କଟ ପାନୀୟ ଜଳ ସ୍ଥିତି । ବିଜେଡି ଶାସନର ୨୫ ବର୍ଷ ପରେ ବି ଓଡ଼ିଶା ଗ୍ରାମାଞ୍ଚଳର ପ୍ରାୟ ୨୪ ଲକ୍ଷ ପରିବାର ଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ । ସହରାଞ୍ଚଳରେ ଟ୍ୟାପ୍ ସଂଯୋଗ ଥାଇ ବି ୩୧.୨ ପ୍ରତିଶତ ପରିବାରଙ୍କୁ ମିଳୁନାହିଁ ଶୁଦ୍ଧ ପିଇବା ପାଣି । ନିକଟରେ ରାଉରକେଲା, ସମ୍ବଲପୁର, ରେଢ଼ାଖୋଲ ଓ ପୁରୀରେ ଝାଡ଼ାବାନ୍ତି ତାର ଉଦାହରଣ ଦେଖିବାକୁ ମିଳିଥିଲା ।