ଧର୍ମଶାଳାର ଡଙ୍କାରୀ ପାହାଡ଼ । ବର୍ଷବର୍ଷ ଧରି ଚର୍ଚ୍ଚାରେ ରହୁଛି । ପ୍ରତିଦିନ କଳାସୁନାକୁ କୋଟି କୋଟି ଟଙ୍କାରେ ବିକ୍ରି କରି ମାଲେମାଲ ହେଉଛନ୍ତି ବବି, ଜିତୁ-ଡାନି । ହେଲେ ଲୋକ ପାଉଛନ୍ତି ମୃତ୍ୟୁଦଣ୍ଡ । ପାହାଡ଼ରେ ଏମିତି ବିସ୍ପୋରଣ ହୋଇଛି ଯେ ୧୨ ଘଣ୍ଟା ପରେ ମଧ୍ୟ ପୋତି ହୋଇଥିବା ଶ୍ରମିକଙ୍କୁ ଉଦ୍ଧାର କରାଯିବା ସମ୍ଭବ ନଥିଲା । ସେପଟେ ଏହି ଘଟଣାରେ ଲିଜ୍ ଧାରୀ ନାରାୟଣ ରାଉତ ଓ ନିରଞ୍ଜନ ରାଉତଙ୍କୁ କାଠଗଡାକୁ ଟାଣିଛନ୍ତି ବିଜେପି ନେତ୍ରୀ ତଥା ଧର୍ମଶାଳା ବିଜେପି ପ୍ରାର୍ଥୀ ସ୍ମୃତିରେଖା ପହି ।
ଯାଜପୁରର ଦାଶ, ଘଡେଇ ଓ ବଳବନ୍ତ ରାୟ ପରିବାରର ଛତ୍ରଛାୟା ଚାଲିଛି ଯାଜପୁର ଲୁଟ । ପ୍ରାଚ୍ୟୁର୍ଯ୍ୟ ଭରା ଅଞ୍ଚଳକୁ ରାତିରାତି ବନାଯାଉଛି ନୂଆ ନଗଡା । ଏହି କଳାହୀରା ଲୁଟର ମାଷ୍ଟର ମାଇଣ୍ଡ ପାୱାରଫୁଲ ନେତା ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନ କୁନ୍ଥୁକୁନ୍ଥୁ ହେଉଛି । ଡଙ୍କାରୀ କଳାପଥର ଖାଦାନ ନମ୍ବର 5/10 ଓ 7/12 ର ଲିଜଧାରୀ ହେଉଛନ୍ତି ନାରାୟଣ ରାଉତ। ଲିଜ ଏରିଆ ଯଥାକ୍ରମେ 4 ଏକର ଓ 12.50 ଏକର। ଏଗ୍ରିମେଣ୍ଟ ଅନୁସାରେ ପ୍ରତିଦିନ 225 କ୍ୟୁବିକ୍ ମିଟର। ହେଲେ ବେଧଡକ ଚାଲିଛି ବେଆଇନ ପଥର ଖନନ। ଲିଜ୍ ଏରିଆ ବାହାରେ କୋଟି କୋଟି ଟଙ୍କାର ପଥର ଲୁଟି ନେଉଛନ୍ତି ଖଣି ମାଫିଆ । ଅଭିଯୋଗ ଅନୁସାରେ ପ୍ରତିଦିନ ଅନୁମତି ଠାରୁ 70 ଗୁଣା ଅଧିକ କଳାପଥର ଖନନ ହେଉଛି ଡଙ୍କାରୀ ପାହାଡରୁ ।