କେବଳ ଅଯୋଧ୍ୟା ନୁହେଁ ଓଡ଼ିଶା ବି ଆଜି ଦଶରତ ପୁତ୍ରଙ୍କ ପ୍ରେମରେ ବିଭୋର । ରାଜ୍ୟର ବିଭିନ୍ନ ସ୍ଥାନରେ ଫୁଲରେ ସଜେଇ ହୋଇଛି ରାମ ମନ୍ଦିର । ଶ୍ରୀରାମ ନବମୀ ପାଇଁ ସଂପୂର୍ଣ୍ଣ ଗେରୁଆମୟ ହୋଇଛି ଭଦ୍ରକ ସହର । ରାମ ସଂକୀର୍ତ୍ତନ, ବିଶ୍ବ ଶାନ୍ତି ମହାଯଜ୍ଞ, ହନୁମାନ ଚାଳିଶାରେ ସବୁଠି ଭକ୍ତିମୟ ପରିବେଶ । ଏପଟେ ଦେଖନ୍ତୁ, ଭକ୍ତ ଭିଡ଼ରେ ଉଠୁଛି ପଡୁଛି ରାଜଧାନୀ ଭୁବନେଶ୍ବରର ରାମମନ୍ଦିର । 9 ଦିନର ରାମଚରିତ ମାନସ ଓ ପାରାୟଣ ପରେ ଜନ୍ମ ନେଇଛନ୍ତି ପ୍ରଭୁ ଶ୍ରୀରାମ । ଏଣୁ ଖୁସି ଆଜି ଉଛୁଳା ନଦୀ ଭଳି ବୋଲ ମାନୁନି । ରାଜ୍ୟସାରା କେଉଁଠି ବାଇକ୍ ରାଲି ତ କେଉଁଠି ପୂଜାପାଠ ଚାଲିଛି । ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି । ଚୈତ୍ର ଶୁକ୍ଳ ନବମୀ ରାମ ନବମୀ ରୂପେ ପରିଚିତ । ଏହି ଦିନ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ପାଳନ କରାଯାଏ । ଭକ୍ତି, ଉପାସକ, ତପସ୍ୟା, ସତ୍ୟ, ବଳିଦାନ, ପ୍ରେମ ଏବଂ କର୍ତ୍ତବ୍ୟର ଏକ ଜୀବନ୍ତ ଉଦାହରଣ ଶ୍ରୀରାମ । ଆଜି ଭଳି ପବିତ୍ର ଦିନରେ ଟ୍ବିଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଥିବାବେଳେ ସମ୍ବଲପୁର ଦାନିପାଲି ସ୍ଥିତ ଶ୍ରୀରାମ ମନ୍ଦିର ଓ ଗାୟତ୍ରୀ ମନ୍ଦିର ପରିସରରେ ପୂଜାର୍ଚ୍ଚନା କରି ଓଡ଼ିଶା ଓ ଭାରତବର୍ଷର ସମୃଦ୍ଧି ପାଇଁ କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଅଧିକ ପଢନ୍ତୁ ଓଡ଼ିଶା ଖବର