ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ଅମିତ୍ ଶାହଙ୍କ ସ୍ୱରରେ ସ୍ବର ମିଳାଇଛନ୍ତି ଶ୍ରୀମନ୍ଦିର ସେବାୟତ, ପୁରୀ ସହ ସାର ଓଡ଼ିଶାର ଜଗନ୍ନାଥପ୍ରେମୀ । କହିଛନ୍ତି ପରିକ୍ରମା ପ୍ରକଳ୍ପ ନାଁରେ ହଜାର ହଜାର ବର୍ଷର ଐତିହ୍ୟ ସମ୍ପନ୍ନ ମଠ ସବୁକୁ ନଷ୍ଟ କରି ଓଡ଼ିଆ ଅସ୍ମିତା ଉପରେ ଶକ୍ତ ପ୍ରହାର କରାଯାଇଛି । ବିଜେଡି ସରକାରକୁ ଧର୍ମଦ୍ରୋହୀ ଆଖ୍ୟା ଦେଇଛନ୍ତି ଜଗନ୍ନାଥଙ୍କ ବାଡ଼ଗ୍ରାହୀ ।
ପୁଣି ଓଡ଼ିଶାରେ ବିଜେପି ସରକାର ହେଲେ କାଶୀ ବିଶ୍ୱନାଥ ମନ୍ଦିର ଭଳି କରାଯିବ ଶ୍ରୀମନ୍ଦିର ଓ ଏହାର ପାରିପାର୍ଶ୍ବିକ ବିକାଶ। ବାରାଣସୀ ପରି ବିଶ୍ୱ ଦରବାରରେ ପୁରୀର ମହିମାମଣ୍ଡନ ଓ ଜଗନ୍ନାଥଙ୍କ ମହିମାର ପ୍ରଚାରପ୍ରସାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ଅମିତ୍ ଶାହ।
ଜଗନ୍ନାଥ ସଂସ୍କୃତି ବଞ୍ଚାଇ ରଖି ମଧ୍ୟ ହୋଇପାରିଥାନ୍ତା ଶ୍ରୀମନ୍ଦିରର ପାରିପାର୍ଶ୍ବିକ ବିକାଶ । ଯେମିତି କାଶୀରେ ହୋଇଛି ସମ୍ଭବ। କାଶୀ ବିଶ୍ବନାଥ କରିଡର ଅନ୍ତର୍ଗତ ୪୦ଟି ଐତିହ୍ୟ ସମ୍ପନ୍ନ ମନ୍ଦିର ପୁନର୍ଜୀବନ ପାଇଲେ । ଏ ସବୁର ସଂରକ୍ଷଣ କରାଗଲା । ମୂଳ ସରଞ୍ଚନାରେ କୌଣସି ପରିବର୍ତ୍ତନ ନ ହୋଇ ହେଲା ଐତିହ୍ୟର ସରଂକ୍ଷଣ । କିନ୍ତୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ୧୯ଟି ମଠକୁ ସମ୍ପୂର୍ଣ୍ଣ ଧ୍ଵଂସ କରିଦେଲେ ବିଜେଡି ସରକାର। ମଠ ଭଳି ଐତିହ୍ୟସମ୍ପନ୍ନ ରଘୁନନ୍ଦନ ଲାଇବ୍ରେରୀ ସହ ରହିଛି ମହାପ୍ରଭୁଙ୍କ ନିବିଡ଼ ସମ୍ପର୍କ । କିନ୍ତୁ ଏହାର ପୁନରୁଦ୍ଧାର ଏବେ ବି ସ୍ବପ୍ନ। ପୁଣି କାଶୀ କରିଡର ପାଇଁ ଉଚ୍ଛେଦ ହୋଇଥିବା ୧୪୦୦ରୁ ଅଧିକ ଉଠାଦୋକାନ ଓ ଆବାସ ପାଇଁ ଉପଯୁକ୍ତ ଥଇଥାନ ଓ କ୍ଷତପୂରଣ ଦିଆଗଲା। ଏପଟେ କିନ୍ତୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଉଚ୍ଛେଦ ହୋଇଥିବା ୫ଶହରୁ ଅଧିକ ଉଠା ଦୋକାନୀ ଏଯାଏଁ ହୋଇନାହାନ୍ତି ଥଇଥାନ ।
କାଶୀ କରିଡର ପରେ ସେଠାରେ ଦୁଇ ଗୁଣ ହୋଇଛି ଆୟ , ବହୁ ସଂଖ୍ୟାରେ ବଢ଼ିଛନ୍ତି ଭକ୍ତ। କିନ୍ତୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହେବା ପରେ ଆୟଠାରୁ ଅନେକଗୁଣା ବଳିଯାଇଛି ରକ୍ଷଣା ବେକ୍ଷଣ ଦେୟ । କେବଳ ଆଲୋକୀକରଣ ଓ ଏସି ବିଲ୍ ଦେବା ପାଇଁ ହରଡ଼ଘଣାରେ ଶ୍ରୀମନ୍ଦିର ପ୍ରଶାସନ । ଜଗନ୍ନାଥ ପ୍ରେମୀଙ୍କ ଅନୁସାରେ କେବଳ ପରିକ୍ରମା ପ୍ରକଳ୍ପ ନୁହେଁ ପ୍ରକଳ୍ପ ଉଦଘାଟନ ପାଇଁ ରାଜ୍ୟସାରା ଅର୍ପଣ ରଥ ବୁଲାଇ ଚାଉଳ ସଂଗ୍ରହ କରିବା, ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନଗଣତି ଓ ମରାମତି, ନବକଳେବର ବ୍ରହ୍ମବିଭ୍ରାଟ ଆଦି ପ୍ରସଙ୍ଗରେ ବି ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି ସାଂଘାତିକ ଅପରାଧ କରିଛନ୍ତି ରାଜ୍ୟ ସରକାର।