କରୋନା ସମୟରୁ କେବଳ ସିଂହଦ୍ଵାରରେ ଭକ୍ତଙ୍କୁ ପ୍ରବେଶ ଅନୁମତି ମିଳିଛି । ଚାରିଦ୍ୱାର ପ୍ରବେଶ ବନ୍ଦ ହେବାପରେ ସିଂହଦ୍ଵାରରେ ହେଉଛି କୃତ୍ରିମ ଭିଡ । ଯାହାଫଳରେ ଦର୍ଶନ ପାଇଁ ଘଣ୍ଟା ଘଣ୍ଟାର ପ୍ରତୀକ୍ଷା ପିଲା ଠାରୁ ବୁଢ଼ା ସବୁ ବର୍ଗର ଭକ୍ତଙ୍କୁ ଅତିଷ୍ଠ କରୁଛି । ବିନା ବାଧାରେ ସହଜ ଦର୍ଶନ ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପରିକଳ୍ପନା କରିଥିଲେ ରାଜ୍ୟ ସରକାର । ପ୍ରକଳ୍ପ ହେବାପରେ ଭକ୍ତଙ୍କ ସୁବିଧା ଆଳରେ ଏସି ସେଡ଼ ମଧ୍ୟ କରାଯାଇଛି । ପ୍ରଥମ ଦୁଇମାସରେ ଏସି ସେଡ ପାଇଁ 14 ଲକ୍ଷର ବିଦ୍ୟୁତ୍ ବିଲ୍ ମଧ୍ୟ ହୋଇଛି । ଖାଲି ସେତିକି ନୁହେଁ ଗତବର୍ଷ ବ୍ୟାରିକେଡ଼ ପାଇଁ ମଧ୍ୟ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ ଶୂନ୍ ।
ଅନ୍ୟପଟରେ ଚାରିଦ୍ୱାର ଖୋଲିବାକୁ ପୁଣି ଉଠିଛି ସ୍ବର । ବୁଦ୍ଧିଜୀବୀ,ସେବାୟତ ଓ ଭକ୍ତ ଏପରିକି ମହାପ୍ରଭୁଙ୍କ ବାଡ଼ଗ୍ରାହି ମଧ୍ୟ ଚାରିଦ୍ୱାର ଖୋଲିଲେ ହିଁ ଭକ୍ତଙ୍କୁ ତ୍ରାହି ମିଳିବ ବୋଲି ଦେଇ ଆସୁଛନ୍ତି ପରାମର୍ଶ । ୨୦୧୯ରୁ କାହାସ୍ୱାର୍ଥରେ କ୍ୟାବିନେଟ ନିଷ୍ପତ୍ତି ବଳରେ ଚାରିଦ୍ୱାର୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ତାକୁ ନେଇ ବଡ ପ୍ରଶ୍ନ । ଭିଆଇପି ଦର୍ଶନ ପାଇଁ ଚାରିଦ୍ୱାର ବନ୍ଦ ରଖାଯିବା ଅଭିଯୋଗ ହୋଇଥିବାବେଳେ କେବଳ ପୁରୀ ବାସୀଙ୍କ ପାଇଁ ଉନ୍ମକ୍ତ ଥିବା ପଶ୍ଚିମ ଦ୍ଵାରରେ ହାତଗୁଞ୍ଜା ଦେଉଥିବା ନିର୍ଦ୍ଦିଷ୍ଟ ଭକ୍ତଙ୍କୁ ଦର୍ଶନ ସୁବିଧା ଦିଆଯାଉଛି ବୋଲି ମଧ୍ୟ ଅଭିଯୋଗ ଜୋର ଧରିଛି ।
ସେପଟେ ରାଜ୍ୟରେ ତାତି ଅସହ୍ୟ ହେଉଥିବାବେଳେ ଭକ୍ତଙ୍କ ମୌଳିକ ସୁବିଧା କଥା କହି ଭୁଲିଯାଇଛି ଶ୍ରୀମନ୍ଦିର ପ୍ରଶାସନ । ଯାହାଫଳରେ ମୁଣ୍ଡ ଉପରେ ତାତି ଓ ପାଦ ତଳେ ତାତି ଯୋଗୁଁ ଡହ ଡହ ଖରାରେ କଲବଲ ହେଉଛନ୍ତି ଭକ୍ତ ।
ଆହୁରି ପଢନ୍ତୁ ଓଡିଶା ଖବର...