ସୂଚନା ଅନୁଯାୟୀ, କଟକ ବନଖଣ୍ଡ ଯାଜପୁର ରୋଡ଼ ରେଞ୍ଜ ଅଧୀନ ପଛିକୋଟ ଡିମାର୍କେଟେ ପ୍ରୋଟେକ୍ଟ ଫରେଷ୍ଟ ଅଧୀନ କୋରାବନ୍ଦୀ ଓ ମଲାରିଆ ମଧ୍ୟ ଭାଗରେ ଥିବା ୧୪୮ ହେକ୍ଟର ଏକମାତ୍ର ଶାଳ ଜଙ୍ଗଲ ଏବେ ନିଜର ଅସ୍ତିତ୍ୱ ହରାଇବାକୁ ବସିଲାଣି । ଯାଜପୁର ରୋଡ଼ ବନବିଭାଗ ଏହାକୁ ସୁରକ୍ଷା ଦେବା ବଦଳରେ କାଠ ବ୍ୟବସାୟୀଙ୍କ ସହଯୋଗୀ ସାଜିଥିବା ପରି ମନେ ହେଉଛି । ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ ଏହି ଜଙ୍ଗଲରୁ ମୂଲ୍ୟବାନ ଶାଳ, ଅଶନ, ମହୁଲ ଆଦି ପ୍ରାକୃତିକ ବୃକ୍ଷ ବିଲୁପ୍ତ ହେବାକୁ ବସିଛି ।
ଖାଲି ଗଛ କାହିଁକି, ରାଜସ୍ବ ଲୁଟ୍ ବୃଦ୍ଧି ମଧ୍ୟ ପାଉଛି । ନିକଟସ୍ଥ ଜଙ୍ଗଲ ଜମିରୁ ମୋରମ ବ୍ୟବସାୟୀମାନେ ରୀତିମତ ବେଆଇନ ମୋରମ ଉତ୍ତୋଳନ କରି ଚୋରା ଚାଲାଣ କରୁଥିବା ଅଭିଯୋଗ ହୋଇଛି । ଏନେଇ ଖଣି ବିଭାଗଠାରୁ ଆରମ୍ଭ କରି ତହସିଲ ଏବଂ ବନବିଭାଗ ନିକଟରେ ଯେତେ ଅଭିଯୋଗ ହେଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ।
ବରଂ ବ୍ୟବସାୟୀଙ୍କଠାରୁ ହାତଗୁଞ୍ଜା ନେଇ ପ୍ରଶାସନିକ ଅଧିକାରୀମାନେ ସୁରକ୍ଷା ଦେଇଆସୁଛନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ସରକାର ଲକ୍ଷାଧିକ ଟଙ୍କାର ରାଜସ୍ୱ ହରାଉଥିବା ବେଳେ କୋରବନ୍ଦୀ ଜଙ୍ଗଲ ପ୍ରତି ମଧ୍ୟ ସୃଷ୍ଟି ହୋଇଛି ବିପଦ । ଏନେଇ ଯାଜପୁର ରୋଡ଼ ବନଖଣ୍ଡ ଅଧିକାରୀଙ୍କୁ ପଚାରିବାରୁ ଏହା ଗ୍ରାମ୍ୟ ଜଙ୍ଗଲ, ତେଣୁ ଏହା ତହସିଲଦାର ବୁଝିବେ ବୋଲି କହିଛନ୍ତି l