ଆଗାମୀ ଦିନରେ କାଠ ସଙ୍କଟ ପୂରଣ କେମିତି ହେବ । ବିଶ୍ଵ ବ୍ରହ୍ମାଣ୍ଡ ମାଲିକଙ୍କ ରଥ ନିର୍ମାଣ ପାଇଁ ଦାନ କାଠକୁ ଅପେକ୍ଷା କରିବା କେତେଦିନ ଯାଏଁ ସମ୍ଭବ । ବନ ବିଭାଗ ଅଧିକାରୀଙ୍କ ସ୍ପଷ୍ଟିକରଣ ଅନୁଯାୟୀ ବନ ପ୍ରକଳ୍ପ ଅନ୍ତର୍ଗତ ଗଛ ଲାଗିଛି । ତାହା ପୁଣି ଉପଯୁକ୍ତ ଅର୍ଥାତ ୬ ଫୁଟ୍ ଗୋଲେଇ ଓ ୪୦ ଫୁଟ୍ ଲମ୍ବ ହେବାକୁ ୭୦ ବର୍ଷ ଲାଗିଯିବ । ସେବେ ଯାଏଁ କଣ ମଗାଯଚାରେ ଚାଲିବ ତ ରଥ ନିର୍ମାଣ । ଆଗାମୀ ୨୦ ବର୍ଷ ଯାଏଁ କାଠ ମିଳିଯିବ ବୋଲି ବି ସେ ପ୍ରତିକ୍ରିୟା ରଖିଛନ୍ତି ।
ତେବେ ୨୦ ରୁ ୭୦ ବର୍ଷ ପର୍ଯ୍ୟନ୍ତ କେମିତି ଚାଲିବ ବିଶ୍ୱନିଅନ୍ତାଙ୍କ ରଥ ନିର୍ମାଣ । ରଥକାଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ କୁହନ୍ତି ଯୋଉଠି ହେଲେ ବି ଦାତାଙ୍କ ବାରିରୁ ସଂଗ୍ରହ ହୋଇ ଆସିବ କାଠ । ତେବେ ପ୍ରଶ୍ନ ଦାନକୁ ଅପେକ୍ଷା କାହିଁକି । ବିକ୍ରି ହେଉଛି ଖାଲି ପଡ଼ିଥିବା ଜଗନ୍ନାଥ ଜମି । ହେଲେ ଗଛ ଲଗାଇବାରେ ଆନ୍ତରିକତାର ଅଭାବ କାହିଁକି ?
ଚଳିତ ବର୍ଷ ବି ଏଯାବତ୍ ବି ରଥ ଖଳାରେ ପହଞ୍ଚି ପାରିନି ଫାଶୀ କାଠ । ଗୟଳ ଓ ଦଣ୍ଡା ପାଇଁ ଆବଶ୍ୟକ ଧଉରା ଓ ଅସନ କାଠ ରଥ ଖଳାରେ ପହଞ୍ଚିଥିବା ବେଳେ ତୁମ୍ବ ପାଇଁ ଆବଶ୍ୟକ ଫାଶୀ କାଠ ପାଇଁ ଦାତା ଯୋଗାଡ ହୋଇଛନ୍ତି । ରଥକାଠ ପାଇଁ ପ୍ରତ୍ୟେକ ବର୍ଷ ୯୦୦ ପାଖାପାଖି କାଠର ଆବଶ୍ୟକତା ରହିଥାଏ । ହେଲେ ଶ୍ରୀମନ୍ଦିର ପ୍ରଶାସନ ୭୦ ବର୍ଷ ତଳୁ ଶ୍ରୀମନ୍ଦିର ଦାୟିତ୍ଵ ନେଇଥିବା ବେଳେ ଉପଯୁକ୍ତ ବନୀକରଣ କରିବା ପଦକ୍ଷେପକୁ ମନ ବଳାଇ ପାରିନାହିଁ କାହିଁକି ।
ତେବେ ୨୦୦୦ ମସିହାରୁ କ୍ରମେ ଚାଲି ଆସୁଥିବା ଜଗନ୍ନାଥ ବନ ପ୍ରକଳ୍ପ ବି ବିଭିନ୍ନ ଜିଲ୍ଲାରେ ମାଟି କାମୁଡି ପଡ଼ିଛି । କୋଟି କୋଟି ଖର୍ଚ୍ଚ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଏଯାବତ୍ କାଠ ଅଭାବ ପୁରଣ ପାଇଁ କୌଣସି ଆଶା ସଞ୍ଚାର କରିପାରିନାହିଁ ।୨୪ ବର୍ଷର ସ୍ଥିର ସରକାର ବି ଏ ଦିଗରେ ସ୍ଥିର ନିଷ୍ପତ୍ତି ନେବାରେ ବିଫଳ ରହିଛନ୍ତି । ଯେଉଁଥିପାଇଁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ରହିଛି ।ଅର୍ପଣ ରଥରେ ବୁଲାଇ ବୁଲାଇ ବ୍ରହ୍ମାଣ୍ଡ ଠାକୁର ମହାପ୍ରଭୁଙ୍କ ପାଇଁ ଚାଉଳ ଭିକ୍ଷା ଭଳି ରଥକାଠ ପାଇଁ ଦାତାଙ୍କ ଦାନଙ୍କୁ ପ୍ରତିବର୍ଷ ଅପେକ୍ଷା କରିବା କଣ ଓଡ଼ିଆଙ୍କ ଭାବାବେଗକୁ କୁଠାରଘାତ ନୁହେଁ କି ?